ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ

ଓଏଲ୍ ବ୍ୟୁରୋ: ଆଜି ସୋମବାର ଶମ୍ବୁ ଏକାଦଶୀ ତିଥିରେ, ଶ୍ରୀମନ୍ଦିରରେ ଅବକାଶ ନୀତି ବଢିବା ପରେ ଶ୍ରୀ ବଳଭଦ୍ର ମହାପ୍ରଭୁ ହରିହର ବେଶରେ ଏବଂ ଜଗତର ନାଥ ଶ୍ରୀ ଜଗନ୍ନାଥ ରାଧାଦାମୋଦର ବେଶରେ ରତ୍ନ ସିଂହାସନରେ ଦର୍ଶନ ଦେଉଛନ୍ତି। ସୋମବାରରେ ଏକାଦଶୀ ପଡ଼ିବା ନିଶ୍ଚିତ ପକ୍ଷେ ଏକ ବିରଳ ମୁହୂର୍ତ୍ତ।
ହରିଶୟନ ଏକାଦଶୀଠାରୁ ହରି ଉତ୍ଥାପନ ଏକାଦଶୀ ପର୍ଯ୍ୟନ୍ତ ପ୍ରାୟ ୪ ମାସ ଭିତରେ ସୋମବାରରେ ଏକାଦଶୀ ପଡ଼ିଲେ ସେହିଦିନ ଶମ୍ଭୁ ଏକାଦଶୀ ରୂପେ ପାଳନ କରାଯିବାର ବିଧି ରହିଅଛି। ଏଣୁ ଆଜି ସୋମବାରରେ ଏକାଦଶୀ ପଡ଼ିଥିବା ହେତୁ ଶ୍ରୀମନ୍ଦିରରେ ଶମ୍ଭୁ ଏକାଦଶୀ ନୀତି ପାଳନ କରାଯିବ।
ଶ୍ରୀମନ୍ଦିର ଜୟ-ବିଜୟ ଦ୍ବାରଠାରେ ଏହି ନୀତି ଅନୁଷ୍ଠିତ ହେବ। ବର୍ଷକ ବାକି ୮ ମାସରେ ଯେଉଁ ସୋମବାରରେ ଏକାଦଶୀ ପଡ଼େ ସେହିଦିନ ଶ୍ରୀଲୋକନାଥ ମନ୍ଦିରରେ ଶମ୍ଭୁ ଏକାଦଶୀ ପାଳନ କରାଯିବାର ପରମ୍ପରା ରହିଅଛି। ଏହିଦିନ ହରି ଓ ହରଙ୍କ ଭେଟ ହୋଇଥାଏ।