Odisha Link
Bridging the Missing Links in Odisha

ଅଭୁଲା ଅକ୍ଟୋବର ୧୯୯୯, ମହାବାତ୍ୟାକୁ ପୂରିଲା ୨୫ ବର୍ଷ

ଓଏଲ୍‌ ବ୍ୟୁରୋ: ପ୍ରକୃତିର ତାଣ୍ଡବ, ଘନ ଅନ୍ଧକାର ମଧ୍ୟରେ କେବଳ ପବନର ଶବ୍ଦ। ପ୍ରଚଣ୍ଡ ବର୍ଷା ଓ ବିଜୁଳି ଆଲୋକରେ ଘରୁ ବାହାରିବା ଥିଲା କଷ୍ଟକର। ହଠାତ୍‌ ସମୁଦ୍ରରୁ ମାଡ଼ି ଆସିଲା ନଡ଼ିଆ ଗଛ ପ୍ରାୟ ଉଚ୍ଚର ଜୁଆର। ନିମିଷକ ମଧ୍ୟରେ ନିଶ୍ଚିହ୍ନ ହୋଇଗଲା ସବୁକିଛି। କିଏ କେଉଁଠି ରହିଲେ, କୁଆଡ଼େ ଗଲେ କିଛି ଜଣାପଡ଼ିଲା ନାହିଁ। ଚାରିଆଡ଼େ ପ୍ରଳୟର ଦୃଶ୍ୟ, ପ୍ରଚଣ୍ଡ ବେଗର ପବନ ଓ ପାଣି। ମୁହୂର୍ତ୍ତକ ପରେ ନିଜକୁ କିଏ କେଉଁଠି କିପରି ଅବସ୍ଥାରେ ଆବିଷ୍କାର କଲେ ତାହା ଜଣା ନ ଥିଲା।

ଆତ୍ମୀୟ ସ୍ଵଜନ, ପରିବାର ଲୋକେ ସବୁ ଆଖି ଆଗରେ ଭାସିଗଲେ। ଘରଦ୍ୱାର କେଉଁ ଜାଗାରେ ରହିଥିଲା ତାହା ଠଉରାଇବା ସମ୍ଭବ ନ ଥିଲା। ୧୦ ହଜାରରୁ ଅଧିକ ମୂଲ୍ୟବାନ ଜୀବନ ଚାଲିଯାଇଥିଲା। ପ୍ରାୟ ୧୮ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। ଆଉ ଆଜି ସେଇ ଭୟଙ୍କର ମହାବାତ୍ୟାକୁ ପୂରିଛି ୨୫ ବର୍ଷ। ଏହି ପ୍ରଳୟଙ୍କରୀ ବାତ୍ୟା ଦିନେ ଧୋଇ ନେଇଥିଲା ଓଡ଼ିଶାର ଶିରି। ପ୍ରକୃତି ଯେ କେତେ ଭୟଙ୍କର ହୋଇପାରେ ତାହା ୧୯୯୯ ଅକ୍ଟୋବର ୨୯, ଶୁକ୍ରବାର ସାରା ଓଡ଼ିଶା ଦେଖିଥିଲା।

ଆଖି ଆଗରେ ଦୋହଲି ଯାଇଥିଲା ସବୁକିଛି। ଭାଙ୍ଗି ଯାଇଥିଲା ଘର, ଉପୁଡ଼ି ପଡ଼ିଥିଲା ଗଛ। କ୍ଷୟକ୍ଷତିର ଏକ ଭୟାନକ ଦୃଶ୍ୟ ଦେଖିଥିଲେ ଓଡ଼ିଶାବାସୀ। ପ୍ରଳୟ ସ୍ରୋତରେ ଲୀନ ହୋଇଯାଇଥିଲେ ୧୦ ହଜାରରୁ ଅଧିକ ଲୋକ। ସରକାରୀ ରିପୋର୍ଟରେ ୧୦ ହଜାର କୁହାଯାଉଥିଲେ ବି ଏହି ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ବୋଲି କୁହାଯାଏ। ଘଣ୍ଟାପ୍ରତି ୨୬୦ରୁ ଅଧିକ କିଲୋମିଟର ବେଗରେ ପବନ ବହିବା ସହ ଭୂପତିତ ହୋଇଥିଲା ଲକ୍ଷ ଲକ୍ଷ ଗଛ। ଏହି ଆକସ୍ମିକ ପ୍ରଳୟ ଲାଗି ପ୍ରସ୍ତୁତ ନଥିଲେ ଓଡ଼ିଶାବାସୀ। ଓଡ଼ିଶା ଇତିହାସରେ ଏହି ଲୋମହର୍ଷକ ବାତ୍ୟା ଆଉ କେବେ ଓଡ଼ିଶାକୁ ନଆସୁ।

ମହାବାତ୍ୟା ପରଠାରୁ ସଜାଗ ହୋଇଥିଲା ଓଡ଼ିଶା। ଗତ ୨୫ ବର୍ଷ ଓଡ଼ିଶା ବାସୀଙ୍କ ମନରେ ବାତ୍ୟାର ଭୟ ଘାରି ହୋଇଛି। ୧୯୯୯ ପରଠୁ ୨୦୨୪ ମସିହା ମଧ୍ୟରେ ଓଡ଼ିଶା ସାମ୍ନା କରିଛି ୧୧ଟି ବାତ୍ୟା। ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ଼, ୨୦୧୮ରେ ତିତଲି, ପେଥାଇ ଓ ଡାଏ, ୨୦୧୯ରେ ଫନି ଓ ବୁଲବୁଲ, ୨୦୨୦ରେ ଅମ୍ଫାନ, ୨୦୨୧ରେ ୟାସ, ଗୁଲାବ, ଜୱାଦ ଓ ଏବେ ଦାନା ଦ୍ବାରା ଓଡ଼ିଶା ପ୍ରଭାବିତ ହୋଇଛି।

Leave A Reply

Your email address will not be published.