ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି: ପ୍ରତି ଗାଁରେ ଗଠନ ହେବ ବିପର୍ଯ୍ୟୟ ମୁକାବିଲା ରେସପନ୍ସ ଟିମ୍
ଓଏଲ୍ ବ୍ୟୁରୋ: ୧୯୯୯ ମସିହାର ଛାତିଥରା ମହାବାତ୍ୟାକୁ ମଙ୍ଗଳବାର ଦିନ ୨୫ ବର୍ଷ ପୂରିଛି। ମୃତ୍ୟୁର ସେ କରାଳ ତାଣ୍ଡବର ବିକଳ ଦୃଶ୍ୟ ଏବେ ବି ସତେଜ ଅଛି। ପ୍ରତିବର୍ଷ ଏମିତି କେତେ ବାତ୍ୟା, ବନ୍ୟା, ମରୁଡ଼ି ଭଳି ବିପତ୍ତି ଆସିଛି ଓ ଯାଇଛି। ହେଲେ ଓଡ଼ିଶା ଧୈର୍ଯ୍ୟର ସହ ସେସବୁକୁ ସାମନା କରିଛି ଏବଂ ବିକାଶ ପଥରେ ଆଗେଇ ଆସିଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାପାଇଁ ତତ୍ପରତା ଦେଖାଇଛନ୍ତି।
ଏହି କ୍ରମରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାପାଇଁ ପ୍ରତି ଗାଁରେ ଗୋଟିଏ ଲେଖାଏଁ ବିପର୍ଯ୍ୟୟ ରେସ୍ପନ୍ସ ଟିମ୍ ଗଠନ କରାଯିବ। ଏହାସହ ରାଜ୍ୟରେ ଅତ୍ୟାଧୁନିକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସରେ ଭୁବନେଶ୍ୱରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଥିବା ୮୪୪ଟି ବାତ୍ୟା-ବନ୍ୟା ଆଶ୍ରୟସ୍ଥଳୀର ଢାଞ୍ଚାକୁ ପରିବର୍ତ୍ତନ କରାଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ୍ରାଫ୍ ଟିମ୍ ୨୦ରୁ ୩୦କୁ ବୃଦ୍ଧି କରାଯିବ। ଏହାସହ ମିଶନ ଶକ୍ତି ସ୍ୱୟଂସିଦ୍ଧା ଯୋଜନା କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବାତ୍ୟା ‘ଦାନା’ର ମୁକାବିଲାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବିଭିନ୍ନ ବର୍ଗରେ ୧୪୨ ଜଣଙ୍କୁ ପୁରସ୍କୃତ କରିଥିଲେ।