ଓଡ଼ିଶା ବିଜେପିକୁ ମିଳିବ ନୂଆ ମୁଖିଆ, ଆରମ୍ଭ ହେଲା ନିର୍ବାଚନ ପ୍ରକ୍ରିୟା
ଓଏଲ୍ ବ୍ୟୁରୋ: ଓଡ଼ିଶା ବିଜେପିକୁ ମିଳିବେ ନୂଆ ମୁଖିଆ। ଖୁବଶୀଘ୍ର ରାଜ୍ୟ ବିଜେପି ସଙ୍ଗଠନରେ ଆମୂଳଚୂଳ ପରିବର୍ତ୍ତନ ହେବ। ସରକାରକୁ ଆସିବା ପରେ ଏଥିପାଇଁ ଅଣ୍ଟାଭିଡିଛି ବିଜେପି। ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କର୍ମଶାଳା ଜାରି ରହିଛି। ରାଜ୍ୟ ସଭାପତିଙ୍କ ସହ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ରହିଛନ୍ତି। କର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି।
କ୍ଷମତାକୁ ଆସିବା ପରେ ବିଜେପି ଘର ସଜାଡିବା ଆରମ୍ଭ କରିଛି। ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ କରି ସାରିଛି ଦଳ। ବୁଥ, ମଣ୍ଡଳ, ଜିଲ୍ଲା ଓ ରାଜ୍ୟ ସଭାପତି ପଦ ଲାଗି ହେବ ନିର୍ବାଚନ। ପ୍ରତି ତିନିବର୍ଷରେ ଥରେ ହେବାକୁ ଥିବା ବିଜେପିର ସାଙ୍ଗଠନିକ ନିର୍ବାଚନ ଚଳିତଥର ଗୋଟିଏ ବର୍ଷ ପାଇଁ ଘୁଞ୍ଚାଯାଇଥିଲା। ଏବେ ନିର୍ବାଚନ ସରିବା ପରେ ସାଙ୍ଗଠନିକ ସ୍ତରରେ ବ୍ୟାପକ ଅଦଳବଦଳ ପାଇଁ ରାଜ୍ୟ ବିଜେପି ଅଣ୍ଟାଭିଡିଛି।