କାଳୀପୂଜା ପାଇଁ ଚଳଚଞ୍ଚଳ ଭଦ୍ରକ ସହର, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଏଲ୍ ବ୍ୟୁରୋ: ଐତିହାସିକ କାଳୀପୂଜା ପାଇଁ ଉତ୍ସବ ମୁଖର ଭଦ୍ରକ ସହର। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମାଙ୍କୁ ପୂଜା କରାଯାଇଛି। ଏହା ସହ ବିଭିନ୍ନ ପୀଠ ଓ ମଣ୍ଡପରେ ମଧ୍ୟ ରୀତିନୀତି ଅନୁଯାୟୀ ମାଆ କାଳୀଙ୍କ ପୂଜାର୍ଚ୍ଚନା କରାଯାଉଛି।
କାଳୀପୂଜା ଉପଲକ୍ଷେ ସହରର ୯ଟି ପୂଜାମଣ୍ଡପରେ ମା ଶ୍ୟାମାକାଳୀଙ୍କ ମୂର୍ତ୍ତି ପୂଜାର୍ଚନା ପାଇଁ ପୂଜା ମଣ୍ଡପ ଚଳଚନ୍ଚଳ ହୋଇଉଠିଛି। ୯ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା କାଳୀପୂଜାକୁ ମହାଡମ୍ବର ସହକାରେ ପାଳନ କରିବାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ଥିର କରାଯାଇଥିବାବେଳେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ତା କରାଯାଇଛି।
ଭଦ୍ରକରେ ଭଦ୍ରକାଳୀଙ୍କ ପୂଜା:
ପ୍ରତିବର୍ଷଭଳି ଚଳିତ ବର୍ଷ ମଧ୍ୟ ପ୍ରସିଦ୍ଧ ମା’ ଭଦ୍ରକାଳୀଙ୍କ ପୀଠରେ ପୂଜା ରୀତିନୀତି ଅନୁଷ୍ଠିତ ହେଉଛି। ଅନ୍ୟ ଶକ୍ତିପୀଠ ମଧ୍ୟରୁ ମାଆ ଭଦ୍ରକାଳୀଙ୍କ ପୀଠ ଅନ୍ୟତମ। ଏହି ପ୍ରସିଦ୍ଧ ଶକ୍ତି ପୀଠରେ କାଳୀ ପୂଜାର ପରମ୍ପରା ବେଶ ନିଆରା। ପବିତ୍ର ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ଏହି ପୀଠରେ ମା’ ସଦାସର୍ବଦା ବିଶ୍ବମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତିି। ଅକ୍ଟୋବର ୩୧ ତାରିଖରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଏଠାରେ ସ୍ବତନ୍ତ୍ର ପୂଜା ରୀତିନୀତି ଅନୁଷ୍ଠିତ ହେବ। ଆହାର ପଦା ଘାଟରୁ କଳସ ଯାତ୍ରା ପରେ ପୀଠରେ ଘଟ ସ୍ଥାପନ ସହ ଆରମ୍ଭ ହୋଇଛି ଶତଚଣ୍ଡୀ ପାଠ, ଦୀପ ଯଜ୍ଞ ସହ ବିଶ୍ବଶାନ୍ତି ମହାଯଜ୍ଞ। ଜଗତ କଲ୍ୟାଣ ପାଇଁ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।