ଜାଡେଜାଙ୍କ ଫ୍ଲିପର, ନ୍ୟୁଜିଲାଣ୍ଡ ୨୩୫ ରନରେ ଅଲଆଉଟ୍
ଓଏଲ୍ ବ୍ୟୁରୋ: ମୁମ୍ବାଇ ଟେଷ୍ଟରେ ରବୀନ୍ଦ୍ର ଜାଡେଜାଙ୍କୁ ୫ ଓ୍ବିକେଟ ସଫଳତା। ଜାଡେଜାଙ୍କ ଫ୍ଲିପର ବଳରେ ନ୍ୟୁଜିଲାଣ୍ଡ ଦଳକୁ ୨୩୫ ରନ୍ରେ ସୀମିତ ରଖିବାରେ ସଫଳ ହୋଇଛି ରୋହିତ ବାହିନୀ। ଓ୍ବାଙ୍ଖଡେରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନରେ ହିଁ ଅଲଆଉଟ୍ ହୋଇଛି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ। ଭାରତୀୟ ଦଳ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୫ଟି ଓ୍ବିକେଟ ନେଇଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ ମିଚେଲ ସର୍ବାଧିକ ୮୨ ରନ୍ କରିଛନ୍ତି।
ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍ ଲାଥମ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ଭାରତୀୟ ଦଳ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ଭାରତୀୟ ଦଳର ଦ୍ରୁତ ବୋଲର ଆକାଶଦୀପ ପ୍ରଥମ ସଫଳତା ଭାରତକୁ ଦେଇଥିଲେ। ସେ ୧୫ ରନ୍ ସ୍କୋରରେ ଡେଭନ କନଓ୍ବେଙ୍କୁ ଆଉଟ୍ କରି ପ୍ୟାଭିଲିଅନ୍ ପଠାଇଥିଲେ। ପରେ ଓ୍ବାଂଶିଟନ୍ ସୁନ୍ଦର ୨ଟି ଓ୍ବିକେଟ ନେଇ ନ୍ୟୁଜିଲାଣ୍ଡକୁ ବ୍ୟାକଫୁଟ୍ରେ ରଖିଥିଲେ। ସେ ମେନ୍ ଇନ୍ ଫର୍ମ ଲାଥମଙ୍କୁ ପ୍ୟାଭିଲିଅନ୍ ପଠାଇବା ପରେ ରଚିନ ରବିନ୍ଦ୍ରଙ୍କୁ କ୍ଲିନ୍ ବୋଲ୍ଡ କରି ପ୍ୟାଭିଲିଅନ୍ ପଠାଇଥିଲେ। ପରେ ଓ୍ବିଲ ୟଙ୍ଗ ଓ ଡାରିଲ ମିଚେଲ କିଛି ସମୟ ପାଇଁ ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ହେଲେ ଲଞ୍ଚ ପରେ ଭାରତୀୟ ବୋଲର ନ୍ୟୁଜିଲାଣ୍ଡ ଦଳର ବ୍ୟାଟିଂ ଲାଇନ୍ ଅପ୍ ଭାଙ୍ଗିବାରେ ସଫଳ ହୋଇଥିଲେ।
୧୫୯ ରନ୍ ସ୍କୋରରେ ଓ୍ବିଲ ୟଙ୍ଗ୍ ଆଉଟ୍ ହେବା ପରେ ନ୍ୟୁଜିଲାଣ୍ଡ ଦଳର ବ୍ୟାଟିଂ ଲାଇନ୍ ଅପ୍ ଭୁଶୁଡ଼ିବାରେ ଲାଗିଲା। ପରେ ନିୟମିତ ବ୍ୟବଧାନରେ ଓ୍ବିକେଟ ଯିବାର ନ୍ୟୁଜିଲାଣ୍ଡ ଦଳ ୨୩୫ ରନ୍ରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଡାରିଲ ମିଚେଲ ସର୍ବାଧିକ ୮୨ ରନ୍ ସ୍କୋର କରିଥିବା ବେଳେ ଓ୍ବିଲ ୟଙ୍ଗ ୭୧ ରନ୍ ସ୍କୋର କରିଥିଲେ। ସେହିପରି ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୫ଟି ଓ୍ବିକେଟ ନେଇଥିବା ବେଳେ ସୁନ୍ଦର ୪ଟି ଓ ଆକାଶଦୀପ ଗୋଟିଏ ଓ୍ବିକେଟ ନେଇଛନ୍ତି।