କଇଁଛଙ୍କ ସୁରକ୍ଷା ପାଇଁ କଟକଣା, ଆଜିଠୁ ୭ ମାସ ପର୍ଯ୍ୟନ୍ତ ମାଛ ଧରିବା ମନା
ଓଏଲ୍ ବ୍ୟୁରୋ: କଇଁଛଙ୍କ ସୁରକ୍ଷା ପାଇଁ କଟକଣା। ଆଜିଠୁ ମେ ୩୧ ପର୍ଯ୍ୟନ୍ତ ୭ ମାସ ମାଛ ଧରିବା ଉପରେ କଟକଣା ଜାରି ହୋଇଛି। ଆଜିଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସାତ ମାସ ଧରି ଧାମରା ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ମାଛ ଧରା ବ୍ୟାନ କରାଯାଇଛି। ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଏହି କଟକଣା ଲଗାଯାଇଛି।
ସମୁଦ୍ର ଉପକୂଳ ଠାରୁ ୨୦ ମାଇଲ ପର୍ଯ୍ୟନ୍ତ କୌଣସି ଯନ୍ତ୍ର ଚଳିତ ଡଙ୍ଗା କିମ୍ବା ଟ୍ରଲର ସମୁଦ୍ର ମଧ୍ୟକୁ ପ୍ରବେଶ ଉପରେ ବାରଣ କରାଯାଇଛି। ଯଦି ଏହି ନିୟମକୁ ଯେଉଁ ମତ୍ସଜୀବୀ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି। ଶୀତଦିନ ଆରମ୍ଭ ହେଉଥିବାରୁ ଅଲିଭ ରିଡ଼ଲେ କଇଁଛ ଏହି ସମୟରେ ଅଣ୍ଡା ଦାନ ପାଇଁ ଉପକୂଳ ଆଡକୁ ଆସିଥାନ୍ତି। ସେମାନଙ୍କ ସୁରକ୍ଷା ସହିତ ବିରଳ ମାଛ ବଂଶ ବୃଦ୍ଧି, ପ୍ରଜାନନ ଓ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଦୀର୍ଘ ୭ ମାସ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।
ସେହିଭଳି ପାରାଦ୍ବୀପର ମହାନଦୀ ମୁହାଣ, ଦେବୀ, ଋଷିକୂଲ୍ୟା ଓ ବରୁଣେଇ ମୁହାଣରେ ମଧ୍ୟ ମାଛଧରା ଉପରେ କଟକଣା ଜାରି କରାଯାଇଛି। ଆଜିଠାରୁ ଏହା ଲାଗୁ ହୋଇ ଆସନ୍ତା ବର୍ଷ ମେ ୩୧ ପର୍ଯ୍ୟନ୍ତ ବଳ ବତ୍ତର ରହିବ ବୋଲି ଜଣାପଡ଼ିଛି। ଏହି ସମୟରେ ମାଛ ଧରିଲେ କଇଁଛ ମାନଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ କଟକଣାକୁ କଡାକଡି କରାଯାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।