ଅସ୍ତବ୍ୟସ୍ତ ଦିଲ୍ଲୀବାସୀ, ଦୀପାବଳି ପରେ ବଢ଼ିଲା ବାୟୁ ପ୍ରଦୂଷଣ
ଓଏଲ୍ ବ୍ୟୁରୋ: ଦୀପାବଳି ପରେ ଦିଲ୍ଲୀରେ ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ସକାଳୁ ସକାଳୁ ଦେଶର ରାଜଧାନୀର ବିଭିନ୍ନ ସ୍ଥାନ ବିଷାକ୍ତ ବାୟୁରେ ଛାଇ ହୋଇ ରହିଛି। ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ମୁତାବକ ଶୁକ୍ରବାର ସକାଳେ ଇଣ୍ଡିଆ ଗେଟ ସମେତ ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ମାନ ୪୦୦ ନିକଟତର ହୋଇଛି। ଗୁରୁବାର ଦୀପାବଳି ପାଳନ ପରେ ବିଭିନ୍ନ ସ୍ଥାନର ଏକ୍ୟୁଆଇ ଖରାପ ଶ୍ରେଣୀରୁ ଅତି ଖରାପ ଶ୍ରେଣୀକୁ ଯାଇଥିବା ବେଳେ ଏହାକୁ ନେଇ ପରିବେଶବିତଙ୍କର ଚିନ୍ତା ବଢିଛି।
ଅନ୍ୟପଟେ, ଦିଲ୍ଲୀରେ ପ୍ରଦୂଷଣ ବଢ଼ିବା ସହିତ ଯମୁନା ନଦୀ ମଧ୍ୟ ଦୂଷିତ ହେବାରେ ଲାଗିଛି। ଏବେ ଯମୁନା ନଦୀର ପାଣିରେ ବିଷାକ୍ତ ଫେଣ ଦେଖିବାକୁ ମିଳିଛି। ପ୍ରତି ବର୍ଷ ଭଳି ଏଥର ମଧ୍ୟ ସ୍ଥାନେ ସ୍ଥାନେ ଫେଣର ମୋଟା ପରସ୍ତ ଦେଖାଯାଉଛି। ଛଠ୍ ପୂର୍ବରୁ ହିଁ ଯମୁନାରେ ପ୍ରଦୂଷଣ ସ୍ତର ଅତି ବିପଜ୍ଜନକ ସ୍ଥିତିରେ ପହଞ୍ଚି ଯାଇଛି।
ଆହୁରି ମଧ୍ୟ, ଛୋଟ ବଡ଼ ଫ୍ୟାକ୍ଟ୍ରିରୁ ବାହାରୁଥିବା କେମିକାଲ ବର୍ଜ୍ୟବସ୍ତୁ ବି ଏହି ବିଷାକ୍ତ ଫେଣର ଏକ ବଡ଼ କାରଣ, ଯାହା ନାଳ ଦେଇ ଯମୁନାରେ ଆସି ମିଶୁଛି। ଆଜି ସୋସିଆଲ ମିଡିଆରେ ଯମୁନା ନଦୀର ଏହି ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦୂର ଦୂର ଯାଏ ନଦୀ ଉପରେ ଧଳା ଫେଣ ଦେଖିବାକୁ ମିଳୁଛି।
ଏହା ଏକ ବରଫାଚ୍ଛନ୍ନ ଜାଗାର ଭ୍ରମ ସୃଷ୍ଟି କରୁଥିବା ବେଳେ ବାସ୍ତବରେ କିନ୍ତୁ ଦୃଶ୍ୟ ହେଉଛି ଦିଲ୍ଲୀର କାଳିନ୍ଦୀ କୁଞ୍ଜର। ଏଠାରେ ବର୍ଜ୍ୟବସ୍ତୁଗୁଡ଼ିକ ପାଣିକୁ ବିଷାକ୍ତମୟ କରିଦେଇଛି। ଯାହା ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି।