ବଡ଼ ରହସ୍ୟ ଉପରୁ ପରଦା ଉଠିବ କେବେ ?
ଓଏଲ୍ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ଆଗାମୀ ସଂସ୍କରଣ ପାଇଁ ସମସ୍ତ ଟିମ୍ ସେମାନଙ୍କର ରିଟେନସନ୍ ଖେଳାଳିଙ୍କ ତାଲିକା ଜାରି କରିଛନ୍ତି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ୪ ଜଣ ଖେଳାଳିଙ୍କୁ ରିଟେନସନ୍ କରିଛି। ଯେଉଁଥିରେ ଅଧିନାୟକ ଋଷଭ ପନ୍ତଙ୍କ ନାମ ନାହିଁ। ତେବେ ଆଇପିଏଲ୍ ୨୦୨୫ର ନିଲାମୀ ପ୍ରକ୍ରିୟାରେ ସାମିଲ ହେବେ ଋଷଭ ପନ୍ତ। ତେବେ ପନ୍ତ କେଉଁ ଦଳକୁ ଯିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର ଖେଳାଳି ସୁରେଶ ରାଇନା ପନ୍ତଙ୍କୁ ନେଇ କରିଛନ୍ତି ବଡ଼ ଖୁଲାସା।
୩୭ ବର୍ଷିୟ ସୁରେଶ ରାଇନା ଜିଓ ସିନେମାର ଏକ ଶୋ’ରେ କହିଛନ୍ତି, ନିକଟରେ ଦିଲ୍ଲୀରେ ମହେନ୍ଦ୍ର ସିଂ ଧୋନିଙ୍କ ସହିତ ଭେଟ ହୋଇଥିଲା। ସେଠି ଋଷଭ ପନ୍ତ ମଧ୍ୟ ଉପସ୍ଥିତ ଥିଲେ। ଶୀଘ୍ର ପନ୍ତ ହଳଦିଆ ଜର୍ସିରେ ନଜର ଆସି ପାରନ୍ତି। ରାଇନାଙ୍କ ଏହି କଥାରୁ ସ୍ପଷ୍ଟ ଯେ ଚେନ୍ନାଇ ଆଇପିଏଲ ୨୦୨୫ର ମେଗା ନିଲାମରେ ପନ୍ତଙ୍କୁ କିଣିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବ। ପ୍ରକାଶ ଥାଉକି, ଖେଳାଳି ରିଟେନସନ୍ ଲିଷ୍ଟ ପ୍ରକାଶ ପାଇବା ପୂର୍ବରୁ ମଧ୍ୟ ଅନେକ ରିପୋର୍ଟ ଦାବି କରିଥିଲେ ଯେ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ରିଲିଜ୍ କରିବ ଏବଂ ସେ ଆଗାମୀ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସର ଜର୍ସିରେ ଦେଖିବାକୁ ମିଳିପାରନ୍ତି।
ସୂଚନାଥାଉକି, ପନ୍ତ ୨୦୧୬ରେ ଆଇପିଏଲରେ ଡେବ୍ୟୁ କରିଥିଲେ। ୨୦୧୬ରୁ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି। ୨୦୨୪ ଆଇପିଏଲ ସିଜିନ୍ରେ ସେ ଦିଲ୍ଲୀ ସହ ଜଡ଼ିତ ହେବାର ୯ ବର୍ଷ ପୂରଣ କରିଥିଲେ। ୨୦୨୧ ଆଇପିଏଲ ସିଜିନ୍ରୁ ପନ୍ତ ଦିଲ୍ଲୀର ଅଧିନାୟକତ୍ୱ ଭାର ସମ୍ଭାଳିଥିଲେ। ପନ୍ତ ତାଙ୍କ ଆଇପିଏଲ କ୍ୟାରିୟରରେ ଏପର୍ଯ୍ୟନ୍ତ ୧୧୧ଟି ମ୍ୟାଚ୍ ଖେଳିଛନ୍ତି। ୧୧୦ ଇନିଂସରେ ସେ ୩୫.୩୧ ହାରାହାରି ଏବଂ ୧୪୮.୯୩ ଷ୍ଟ୍ରାଇକ ରେଟ୍ରେ ୩୨୮୪ ରନ୍ କରିଛନ୍ତି।