ବାତ୍ୟା ‘ଦାନା’: କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଦଳ
![](https://www.odishalink.com/wp-content/uploads/2024/10/suresh-e1732093403815-750x398.jpg)
ଓଏଲ୍ ବ୍ୟୁରୋ: ବାତ୍ୟା ‘ଦାନା’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଉପକୂଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ଷୟକ୍ଷତିର ଆକଳନ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇସାରିଛି। ଆଂଶିକ ଭାବେ ଘର ଭଙ୍ଗା ଓ ସମ୍ପୂର୍ଣ୍ଣ ଘର ଭଙ୍ଗା ରିପୋର୍ଟ ମଗାଯାଇଛି। ଘର ଭଙ୍ଗା ସହ ଫସଲ ନଷ୍ଟ ଆକଳନ ହେଉଛି। ପାଣି ଜମିଲେ ମଧ୍ୟ ଫସଲ ନଷ୍ଟ ହୁଏ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଯାଇଥିବା ବିହନ ବ୍ୟବହାର କରିଥିଲେ ୧୦ଦିନ ପର୍ଯ୍ୟନ୍ତ ପାଣିରେ ବୁଡି ରହିଲେ ମଧ୍ୟ ଗଛ ନଷ୍ଟ ହେବନାହିଁ। ନିଖୁଣ ଭାବେ ଆକଳନ କରି ରିପୋର୍ଟ ଦେବାକୁ କୁହାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।
ବାତ୍ୟା ‘ଦାନା’ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଦଳ। କେନ୍ଦ୍ରୀୟ ଦଳ ଆସିବା ପୂର୍ବରୁ ଆମର ପ୍ରାଥମିକ ରିପୋର୍ଟ କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚିବ। କେନ୍ଦ୍ରୀୟ ଟିମ ଆସି ରାଜସ୍ୱ ଓ ଅନ୍ୟାନ୍ୟ ବିଭାଗ ସହ କଥା ହେବେ। ଏହା ପରେ ଆମେ ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ରକୁ ପଠେଇବୁ। ବାତ୍ୟା ଓ ବନ୍ୟାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଭିତ୍ତିଭୂମି କ୍ଷୟକ୍ଷତି ହୋଇଛି। ଶକ୍ତି, ଶିକ୍ଷା, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ସ୍ୱାସ୍ଥ୍ୟ ବିଭାଗର କ୍ଷୟକ୍ଷତି ହୋଇଛି। ବିଭିନ୍ନ ବିଭାଗର କ୍ଷୟକ୍ଷତି ମରାମତି ଲାଗି ଆମେ ଆଗୁଆ ଅର୍ଥ ଦେବୁ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।