Odisha Link
Bridging the Missing Links in Odisha

ମନ୍ତ୍ରୀଙ୍କ ବଡ଼ ସୂଚନା: ରାସନ କାର୍ଡରୁ ବାଦ୍ ପଡ଼ିବେ ଏହି ହିତାଧିକାରୀ..

ଓଏଲ୍‌ ବ୍ୟୁରୋ: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ନଭେମ୍ବରରୁ ମିଳିବ ନୂଆ ରାସନ କାର୍ଡ। ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ଏହା ସହ ଇ-କେୱାଇସିକୁ ନେଇ ସାଧାରଣରେ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଲକ୍ଷ ଯେଉଁମାନେ ଭୂତ ରାସନକାର୍ଡ କିମ୍ବା ଅଯୋଗ୍ୟ ସେମାନଙ୍କୁ ବାଦ୍ ଦେବା।

ରୋହିଙ୍ଗ୍ୟା କିମ୍ବା ବିଦେଶୀଙ୍କୁ ମିଳିଥିବା ରାସନ କାର୍ଡର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରୋହିଙ୍ଗ୍ୟାମାନେ କାର୍ଡ ପାଇଥିଲେ ଏହାକୁ କଟାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଇ-କେଓ୍ୱାଇସି ଯାଞ୍ଚ ଚାଲିଛି। ନଭେମ୍ବର ଦ୍ୱିତୀୟ ସପ୍ତାହ ଭିତରେ ଯାଞ୍ଚ ଶେଷ ହେବ। ଏହାପରେ ଯେଉଁମାନେ ଅଯୋଗ୍ୟ ଥିବେ ରାଜ୍ୟ ସରକାର ସେମାନଙ୍କ କାର୍ଡ କାଟିବେ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ, ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ଅଭିଯୋଗ ଘଟଣାରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଚାଉଳର ଅଭାବ ନାହିଁ। କନ୍ଧମାଳରେ ମଧ୍ୟ ଚାଉଳ ମହଜୁଦ। ବାସି ଖାଦ୍ୟ ଖାଇଥିବାରୁ ୨ଜଣଙ୍କ ମୃତ୍ୟୁ ଘଟଣା ଘଟିଛି। କନ୍ଧମାଳ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି। ଏହାର ରିପୋର୍ଟ ମଧ୍ୟ ଆସିଛି। ଆମ୍ବ ଟାକୁଆ ସେମାନଙ୍କର ନିୟମିତ ଖାଦ୍ୟ। ବିରୋଧୀଙ୍କ କାମ ହେଲା ବିରୋଧ କରିବା। ତେଣୁ ରିପୋର୍ଟ ଆସିଲେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନା ଅନୁସାରେ, ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ୬ ଜଣ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କନ୍ଧମାଳ ଦାରିଙ୍ଗବାଡ଼ିରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଅଭିଯୋଗ ଘଟଣାରେ ପ୍ରାଥମିକ ତଦନ୍ତରୁ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏହା ପରେ ତଦନ୍ତ ଚାଲିଥିବାବେଳେ ବିଜେଡି ରାଜ୍ୟ ସରକାରଙ୍କ ଦୋଷ ଦେଇଛି। ଯାହାକୁ ନେଇ ଯୋଗାଣ ମନ୍ତ୍ରୀ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି।

Leave A Reply

Your email address will not be published.