ଅକ୍ଟୋବରରେ ଆଦାୟ ହେଲା ୧.୮୭ ଲକ୍ଷ କୋଟି ଜିଏସ୍ଟି, ରାଜ୍ୟରୁ ୪୫୯୨ କୋଟି
ଓଏଲ୍ ବ୍ୟୁରୋ: ଚଳିତ ବର୍ଷ ରାଜ୍ୟରେ ଅକ୍ଟୋବର ମାସରେ ୪୫୯୨ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସଟି) ସଂଗ୍ରହ ହୋଇଛି। ଏହା ୨୦୨୩ ଅକ୍ଟୋବରରେ ସଂଗ୍ରହ ହୋଇଥିବା ୪୧୭୭ କୋଟି ଟଙ୍କା ଜିଏସଟି ତୁଳନାରେ ୧୦ ପ୍ରତିଶତ ଅଧିକ। ସେପ୍ଟେମ୍ବରରେ ରାଜ୍ୟରେ ୪୫୯୬ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲା ଯାହା ଅକ୍ଟୋବର ତଥ୍ୟ ତୁଳନାରେ ସାମାନ୍ୟ ଅଧିକ। ସର୍ବଭାରତୀୟ ସ୍ତରରେ ଏହି ମାସରେ ୧.୮୭ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି।
ଚଳିତ ବର୍ଷର ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଜିଏସଟି ସଂଗ୍ରହ ପରିମାଣ ୧୨.୭୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହା ୨୦୨୩ର ସମାନ ସମୟରେ କରାଯାଇଥିବା ୧୧.୬୪ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ ତୁଳନାରେ ୯.୪ ପ୍ରତିଶତ ଅଧିକ। ଜିଏସଟି ସଂଗ୍ରହରୁ ଗୋଟିଏ କଥା ଜଣାପଡ଼ିଛି ଯେ ଦେଶ ଭିତରେ ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦା ଉତ୍ସାହଜନକ ରହିଛି। ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପ୍ରିଲ୍-ଜୁନ୍)ରେ ମାସିକ ହାରାହାରି ୧.୮୬ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲା। ଦ୍ବିତୀୟ ତ୍ରୈମାସିକ (ଜୁଲାଇ-ସେପ୍ଟେମ୍ବର) ମଧ୍ୟରେ ହାରାହାରି ମାସିକ ସଂଗ୍ରହ ୧.୭୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।