Odisha Link
Bridging the Missing Links in Odisha

ବିବାଦରେ ଇସ୍କନର ଅଦିନିଆ ରଥଯାତ୍ରା: ଆଇନମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା..

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ଇସ୍କନର ଅଦିନିଆ ରଥଯାତ୍ରା। ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ବିବାଦ ହେଉଥିବାବେଳେ ଅଦିନରେ ଇସ୍କନର ରଥଯାତ୍ରା ଆୟୋଜନ ଉପରେ ଆପତ୍ତି ଉଠାଇଥିଲେ ଗଜପତି ମହାରାଜା। ଚାରିଆଡ଼ୁ ବିରୋଧ ହେବାପରେ ଇସ୍କନ କର୍ତ୍ତୃପକ୍ଷ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ନାନଯାତ୍ରା କାର୍ଯ୍ୟକ୍ରମ ବାତିଲ ନେଇ ସୂଚନା ମିଳିଥିବାବେଳେ ରଥ ଯାତ୍ରା ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

ଇସ୍କନର ଅଦିନିଆ ରଥଯାତ୍ରା ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି, ଇସ୍କନ ରଥଯାତ୍ରା ବନ୍ଦ ପାଇଁ ଆମେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲୁ। ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ଭାବେ ଗଜପତି ମହାରାଜା ଚିଠି କରିଥିଲେ। ଗତକାଲି ସୁଦ୍ଧା ସେମାନେ ସ୍ନାନଯାତ୍ରା ଭଳି କାର୍ଯ୍ୟକ୍ରମ ବନ୍ଦ କରିଛନ୍ତି। ମୁଁ ଭାବୁନି ସେମାନେ ଆଉ କିଛି ଆୟୋଜନ କରିବେ ବୋଲି। ଏଭଳି ସ୍ଥିତିରେ ସରକାର ଚିଠି ଲେଖିବା ଉଚିତ ବୋଲି ମୁଁ ଭାବୁନି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ, ଓଡ଼ିଆ ପରମ୍ପରା ସଂସ୍କୃତିକୁ ବଦଳାଇଲେ ଇସ୍କନ ମନ୍ଦିର ବନ୍ଦ ହେବ ବୋଲି କଳିଙ୍ଗ ସେନା ଚେତାବନୀ ଦେଇଛି। କେବଳ ଓଡ଼ିଶା ନୁହେଁ ଅନ୍ୟ ଜାଗାରେ ଥିବା ଇସ୍କନ ମନ୍ଦିର ବନ୍ଦ କରିବାକୁ ଓଡ଼ିଆ ପ୍ରବାସୀଙ୍କୁ ଆହ୍ବାନ ଦେଲା ସଂଗଠନ। ଇସ୍କନ ମନ୍ଦିର ସମ୍ମୁଖରେ ସମ୍ମିଳନୀ କରି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ସାମ୍ବାଦିକ ସମ୍ମିଳନୀ କରି କଳିଙ୍ଗ ସେନା ଚେତାବନୀ ଦେଇଛି। ବାରମ୍ବାର ଚେତାବନୀ ପରେ ବି ପ୍ରତିବର୍ଷ ଏହି ଭଳି କରୁଛି ଇସ୍କନ। ଯଦି ଚଳିତ ବର୍ଷ ଏଭଳି କାର୍ଯ୍ୟ କରାଯାଏ କେବଳ ତାଲା ନୁହେଁ ଇସ୍କନ ମନ୍ଦିର ଭଙ୍ଗାରୁଜା କରିବାକୁ ପଛାଇବା ନାହିଁ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ସେନା କହିଛି।

ଇସ୍କନ ଆଞ୍ଚଳିକ ସମ୍ପାଦକ ବନମାଳୀ ଦାସ କହିଛନ୍ତି, ଆମ ତରଫରୁ ଆମେ ପୂର୍ବରୁ ଚିଠି କରିଛୁ। ଗଜପତି ସିଧାସଳଖ ଘଟଣା ବିଷୟରେ ଚିଠି ଲେଖିଛନ୍ତି। ଜିବିଶି ଏ ସମ୍ବନ୍ଧରେ କଣ ଉତ୍ତର ଲେଖିବ ସେ ବିଷୟରେ ଆମର ଧାରଣା ନାହିଁ। ଏହା ସହ ସ୍ନାନ ଯାତ୍ରା ବନ୍ଦ ହୋଇଛି କି ନାହିଁ ସଠିକ୍ ସୂଚନା କିମ୍ବା ଚିଠି ଆମ ପାଖରେ ନାହିଁ। ଭାରତ ଭିତରେ କୌଣସି ଇସ୍କନ ମନ୍ଦିରରେ ଅଦିନିଆ ରଥଯାତ୍ରା ହେଉନାହିଁ।

Leave A Reply

Your email address will not be published.