ନବୀନ ପଟ୍ଟନାୟକଙ୍କ ସୁରକ୍ଷା ହ୍ରାସ ପ୍ରସଙ୍ଗ: ବିଜେଡିକୁ ଜୟନାରାୟଣଙ୍କ ଜବାବ
ଓଏଲ୍ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଓଡ଼ିଶା ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିବା ବେଳେ ନବୀନ ପଟ୍ଟନାୟକଙ୍କ ଯୁଗ ଶେଷ ହୋଇଛି। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ସୁରକ୍ଷା ବଦଳି ଯାଇଛି।
ପୂର୍ବରୁ Z ସୁରକ୍ଷା ଦିଆଯାଉଥିବା ବେଳେ ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରି ରାଜ୍ୟ ସରକାର Y ଶ୍ରେଣୀ କରିଛନ୍ତି। ଏନେଇ ଗୁରୁବାର ଦିନ ଏକ ଅଧିକାରୀ ସୂଚନା ଦେଇଥିବା ବେଳେ ଅନେକ ମିଡିଆ ରିପୋର୍ଟରେ ପ୍ରକାଶ କରାଯାଇଛି। ଯାହାକୁ ନେଇ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଦୋଷାରୋପ କରିଛି। ଏହି ଘଟଣାକୁ ନେଇ ପୂର୍ବତନ ବିରୋଧୀଦଳ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ମୁଁ ସୁରକ୍ଷା ନେଇ ନଥିଲି।
ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ହ୍ରାସ ପ୍ରସଙ୍ଗରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ସେମାନେ ଯେଉଁ ଅନ୍ୟାୟ, ଅତ୍ୟାଚାର କରିଛନ୍ତି, ସେଥିପାଇଁ ମନରେ ଭୟ। ଲୋକମାନେ କାଳେ କିଛି କରିଦେବେ, ସେଥିପାଇଁ ସୁରକ୍ଷା ନେଇଛନ୍ତି। ମୁଁ ବିରୋଧୀଦଳ ନେତା ଥିଲା ବେଳେ ସୁରକ୍ଷା ନେଇ ନ ଥିଲି।
ଏବେ ବିଧାୟକ ଭାବେ ବି ସୁରକ୍ଷା ନେଇ ନାହିଁ। ସେମାନଙ୍କର ଭୟ ଅଛି, ସେଥିପାଇଁ ସୁରକ୍ଷା ନେଇଛନ୍ତି। ଯାହା କରିଛନ୍ତି, ଲୋକ କାଳେ ବାଡ଼େଇବେ, ସେହି ଭୟ ରହିଛି। ଯେଉଁ ନିୟମ ଅଛି ସରକାର ସେହି ଅନୁସାରେ ବ୍ୟବସ୍ତା କରିଛନ୍ତି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।