ଟିମ୍ ଇଣ୍ଡିଆ ବ୍ୟାଟରଙ୍କୁ ଲାଗିଛି କି ଗ୍ରହଣ ?
ଓଏଲ୍ ବ୍ୟୁରୋ: ମୁମ୍ବାଇରେ ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜର ଅନ୍ତିମ ବା ତୃତୀୟ ଟେଷ୍ଟ ମ୍ୟାଚ୍। ବାଂଲାଦେଶ ବିପକ୍ଷ ସିରିଜ ସହଜରେ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ହାରିଛି ଭାରତ। ଏବେ ତୃତୀୟ ଟେଷ୍ଟ ମ୍ୟାଚ ଉପରେ ଦୁଇ ଦଳର ନଜର ରହିଛି। ନ୍ୟୁଜିଲାଣ୍ଡ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଥିବା ବେଳେ ଭାରତ ଗୋଟିଏ ମ୍ୟାଚ୍ ଜିତି ସମ୍ମାନ ରକ୍ଷାକରିବାକୁ ଲଢ଼ିଛି। ବାଂଲାଦେଶ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିବା ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ କାହିଁକି ହାରିଲା ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ମୁଖ୍ୟତଃ ବ୍ୟାଟିଂ ବିପର୍ଯ୍ୟୟ ହିଁ ଟିମ୍ ଇଣ୍ଡିଆର ହାରିବାର କାରଣ ବୋଲି କ୍ରିକେଟ ବିଶେଷଜ୍ଞ ମତ ରଖିଛନ୍ତି।
ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ଉପରେ ଯଦି ନଜର ରଖାଯାଏ ତେବେ ଭାରତୀୟ ଦଳ ଭଲ ଆରମ୍ଭ କରିଥିଲେ ବି ଖେଳକୁ ଶେଷ ପର୍ଯ୍ୟନ୍ତ ନେବାରେ ବିଫଳ ହୋଇଥିଲା। ବେଙ୍ଗାଲୁରୁ ଟେଷ୍ଟ ଉପରେ ଯଦି ନଜର ପକାଇବା ତେବେ ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୪୬ ରନ୍ ସ୍କୋର କରି ଅଲଆଉଟ୍ ହୋଇଥିଲା। ପରେ ଦ୍ବିତୀୟ ଇନିଂସରେ ଦମଦାର ବ୍ୟାଟିଂ କରିବା ସତ୍ତ୍ବେ ଭାରତୀୟ ଦଳ ପରାଜିତ ହୋଇଥିଲା କାରଣ। ଦ୍ବିତୀୟ ଇନିଂସରେ ସରଫରାଜଙ୍କ ଶତକ ଓ ପନ୍ତଙ୍କ ଅର୍ଦ୍ଧଶତକୀୟ ବଳରେ ଭାରତୀୟ ଦଳ ୪୬୨ ରନ୍ ସ୍କୋର କରିଥିଲା। ଭାରତୀୟ ଦଳ ଆହୁରି ଅଧିକ ସ୍କୋର କରି ପାରିଥାନ୍ତା ହେଲେ ମାତ୍ର ୫୪ ରନରେ ୭ଟି ଓ୍ବିକେଟ ହରାଇ ଭାରତୀୟ ଦଳ ବ୍ୟାକଫୁଟ୍ରେ ରହିଥିଲା। ନ୍ୟୁଜିଲାଣ୍ଡ ୧୧୦ରନର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିଥିଲା।
ସେହିପରି ପୁଣେ ଟେଷ୍ଟରେ ବି ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତୀୟ ଦଳ ପୁଣେ ଟେଷ୍ଟର ପ୍ରଥମ ଇନିଂସରେ ୧୫୬ ରନ୍ କରି ଅଲଆଉଟ୍ ହୋଇଥିଲା। ୫୦ ରନ୍ରେ ଗୋଟିଏ ଓ୍ବିକେଟ ଯାଇଥିବା ବେଳେ ୧୦୩ ରନ୍ ହେଲା ବେଳକୁ ଦଳ ୭ଟି ଓ୍ବିକେଟ ହରାଇ ସାରିଥିଲା। ମାତ୍ର ୫୩ ରନରେ ୬ଟି ଓ୍ବିକେଟ ହରାଇ ବ୍ୟାକଫୁଟ୍ରେ ରହିଥିଲା ଭାରତ। ସେହିପରି ଦ୍ବିତୀୟ ଇନିଂସରେ ୨୪୫ ରନ୍ରେ ଅଲଆଉଟ୍ ହୋଇଥିଲା ଭାରତ। ୯୬ ରନ୍ ସ୍କୋରରେ ଗୋଟିଏ ଓ୍ବିକେଟ ହରାଇଥିବା ଭାରତ ୧୬୭ ରନ୍ରେ ୭ଟି ଓ୍ବିକେଟ ହରାଇଥିଲା। ଅର୍ଥାତ୍ ମାତ୍ର ୭୧ ରନ୍ ସ୍କୋରରେ ଦଳ ୬ଟି ଓ୍ବିକେଟ ହରାଇଥିଲା। ଯାହା ପରାଜୟର ମୁଖ୍ୟ କାରଣ ଥିଲା।
ବର୍ତ୍ତମାନ ମୁମ୍ବାଇ ଟେଷ୍ଟରେ ଭଲ ସ୍ଥିତିରେ ରହିଛି ଭାରତ। ହେଲେ ପୂର୍ବ ୨ଟି ମ୍ୟାଚର ଭୁଲ ତୃତୀୟ ମ୍ୟାଚରେ ବି ଦୋହରାଇଛନ୍ତି ଭାରତୀୟ ଖେଳାଳି। ୧୮୦ ରନ୍ରେ ୪ଟି ଓ୍ବିକେଟ ହରାଇଥିବା ଭାରତ ୨୬୩ ରନ୍ରେ ଅଲଆଉଟ୍ ହୋଇଥିଲା। ମାତ୍ର ୮୩ ରନରେ ୬ଟି ଓ୍ବିକେଟ ହରାଇ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା ଭାରତ।