ମେଘନାଦ ପାଚେରୀରେ ଫାଟ: ସୁରକ୍ଷା ପାଇଁ ଚିଠି ଲେଖିଲା ଏଏସ୍ଆଇ
ଶ୍ରୀମନ୍ଦିର ମେଘନାଦ ପାଚେରି ଅସୁରକ୍ଷିତ ହୋଇପଡ଼ିଛି। ଐତିହ୍ୟ ସଂପନ୍ନ ପାଚେରିର ଏକାଧିକ ସ୍ଥାନରୁ ଅନବରତ ଗଳୁଛି ପାଣି। ଏହାକୁ ଦେଖି ବୁଦ୍ଧିଜୀବୀଙ୍କଠୁ ସେବାୟତଙ୍କ ଯାଏ ପ୍ରଶାସନ ଓ ASIର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ବେପରୁଆ କାମ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ଆଣିଛନ୍ତି। ମେଘନାଦ ପାଚେରୀରେ ଫାଟ ହୋଇ ପାଣି ଝରିବା ପ୍ରସଙ୍ଗ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସଆଇ। ମେଘନାଦ ପାଚେରୀର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ ହୋଇଛି।
ଶ୍ରୀମନ୍ଦିର ସୁରକ୍ଷା କବଚ ହେଉଛି ମେଘନାଦ ପାଚେରି। ହେଲେ ଏହି ପାଚେରିର ଏକାଧିକ ସ୍ଥାନରେ ଫାଟ ଓ କଣା ରହିଛି। ସେଥି ମଧ୍ୟରୁ ଅନବରତ ଝରୁଛି ପାଣି। ସିଂହଦ୍ୱାର ସମ୍ମୁଖସ୍ଥ ଲଙ୍ଗୁଳି ମଠ ଧୂନିକୁଣ୍ଡ ଠାରୁ ରାମଦୟା ପରିଷଦ ପର୍ଯ୍ୟନ୍ତ ପ୍ରାୟ ୬୦ ଫୁଟ୍ ଲମ୍ବରେ ମେଘନାଦ ପାଚେରିର ଏକାଧିକ ସ୍ଥାନରେ ଫାଟ ଜଳ ଜଳ ହୋଇ ଦିଶୁଛି। ମେଘନାଦ ପାଚେରିର ଦୂରବସ୍ଥା ନେଇ ଖବର ପ୍ରସାରଣ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ଆଇନ ମନ୍ତ୍ରୀ କହିଛନ୍ତି ଏଏସ୍ଆଇ ବୈଷୟିକ ଟିମ୍ ସ୍ଥିତି ଦେଖିଛନ୍ତି। ଖୁବ୍ ଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି।