ପିସିସି ଚୟନ ପ୍ରସଙ୍ଗରେ ଏମିତି କହିଲେ ଚରଣ ଦାସ ମହନ୍ତ
ଓଏଲ୍ ବ୍ୟୁରୋ: ନିର୍ବାଚନର ୪ ମାସ ପରେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶା କଂଗ୍ରେସ ଭବନ। କାରଣ ଆଜି ଆସି ପହଁଞ୍ଚିଛନ୍ତି ଷ୍ଟିୟରିଂ କମିଟିର ଏଆଇସିସି ନେତା ଚରଣଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନ। ଛତିଶଗଡ଼ ବିରୋଧୀ ଦଳ ନେତା ଚରଣଦାସ ମହନ୍ତ ଓ ବରିଷ୍ଠ ନେତ୍ରୀ ମୀନାକ୍ଷୀ ନଟରାଜନ ବର୍ତ୍ତମାନ କଂଗ୍ରେସ ଭବନ ଅଭିମୁଖେ ଯାଇଥିବା ସୂଚନା ରହିଛି। ଏମାନେ ରାଜ୍ୟ ନେତାଙ୍କ ସହ ଆଲୋଚନା କରି ଏଆଇସିସିକୁ ରିପୋର୍ଟ ଦେବେ। ସକାଳୁ ରାତି ଯାଏଁ ଏହି ଦୁଇ ନେତା କଂଗ୍ରେସ ଭବନରେ ବୈଠକ କରିବେ।
ଭୁବନେଶ୍ବରରେ ପହଁଞ୍ଚିଲା ପରେ ବଡ଼ ବୟାନ ଦେଇଛନ୍ତି ଚରଣଦାସ ମହନ୍ତ। ସେ କହିଛନ୍ତି, ମୋ ପାଖରେ ଲବି କାମ ଦେବନି। ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ମୁଁ ଓଡିଶା ଆସିଛି। ତେବେ ସିନିୟର ନେତାଙ୍କଠାରୁ ଆରମ୍ଭ କରି ଜୁନିୟର ନେତାଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ କଥା ଶୁଣିବି, ଚର୍ଚ୍ଚା ହେଉଥିବା ନା କୌଣସି ପ୍ରଭାବ ପକାଇବନି। ଅନ୍ୟ ରାଜ୍ୟର ନିର୍ବାଚନ ପରେ ନଭେମ୍ବର ୨୩ ତାରିଖ ବେଳକୁ ସେ କଂଗ୍ରେସ ହାଇକମାଣ୍ଡଙ୍କ ପାଖରେ ପିସିସି ସଭାପତି ଚୟନ ନେଇ ରିପୋର୍ଟ ରଖିବେ ବୋଲି କହିଛନ୍ତି।
ଦୁଇ ବରିଷ୍ଠ ନେତା ପ୍ରଥମେ ଷ୍ଟିଅରିଂ କମିଟି ସହ ଆଲୋଚନା କରିବେ। ବିଧାୟକ ଓ ସାଂସଦଙ୍କୁ ଭେଟି ମତାମତ ନେବେ। ଜିଲ୍ଲା ସଭାପତି ଓ ଛାମୁଆ ସଙ୍ଗଠନ ନେତାଙ୍କ ସହ ବି ବୈଠକ ହେବ। ଏହାପରେ କିଛି ନେତାଙ୍କ ସହ ଏକାନ୍ତ ଆଲୋଚନା ବି କରିବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ କଂଗ୍ରେସ ଶିବିରରେ ଆଲୋଚନା ହେଉଛି ଯେ ପିସିସି ସଭାପତି ଦୌଡ଼ରେ ଏବେ ଭକ୍ତ ଦାସ ଓ ମହମ୍ମଦ ମୋକିମଙ୍କ ନାଁ ଆଗରେ ରହିଛି। ସେହିପରି ରାଜ୍ୟର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ମଧ୍ୟ ଦୌଡ଼ରେ ଥିବା ଜଣାପଡ଼ିଛି।
ନିକଟରେ କଂଗ୍ରେସର ୪୦ରୁ ଅଧିକ ନେତା ଛତିଶଗଡ଼ ଯାଇ ଚରଣଦାସ ମହନ୍ତଙ୍କୁ ଭେଟି ମୋକିମଙ୍କ ପାଇଁ ଲବି କରିଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ଦୁଇ ଦିନ ହେଲା ମହମ୍ମଦ ମୋକିମଙ୍କ ଅନେକ ସମର୍ଥକ ବନ୍ଧୁମିଳନ ନାଁରେ ଏକାଠି ହୋଇଛନ୍ତି। ସେହିପରି ଭକ୍ତ ଦାସ କିଛି ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଏକ ତାରକା ହୋଟେଲରେ ବୈଠକ କରିଛନ୍ତି।