ଆସିଲା ବାତ୍ୟା ‘ଦାନା’ର କ୍ଷୟକ୍ଷତି ରିପୋର୍ଟ, ଅଧିକ ପ୍ରଭାବିତ ହୋଇଛି ୩ ଜିଲ୍ଲା
ଓଏଲ୍ ବ୍ୟୁରୋ: ବାତ୍ୟା ‘ଦାନା’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଉପକୂଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ଷୟକ୍ଷତିର ଆକଳନ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇସାରିଛି। ବାତ୍ୟା ‘ଦାନା’ କ୍ଷୟକ୍ଷତି ଆକଳନ ରିପୋର୍ଟ ଆସିଛି। ରିପୋର୍ଟ ଅନୁସାରେ, ରାଜ୍ୟର ୩ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି। ୬୦୦ କୋଟି କ୍ଷତି ହୋଇଥିବା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ରିପୋର୍ଟ ଅନୁସାରେ, ପ୍ରାଥମିକ ଆକଳନ ଅନୁସାରେ କ୍ଷତି ପ୍ରାୟ ୬ଶହ କୋଟି। ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ ହୋଇଛି। ମୟୂରଭଂଜ, ଯାଜପୁର, ଜଗତସିଂହପୁର, କଟକ ବି ପ୍ରଭାବିତ ହୋଇଛି। ପଞ୍ଚାୟତିରାଜ ବିଭାଗ ଛଡ଼ା ଅନ୍ୟ ସବୁ ବିଭାଗରୁ ରିପୋର୍ଟ ଆସିଛି। ସଂଧ୍ୟା ସୁଦ୍ଧା ସବୁ ରିପୋର୍ଟ ମିଳିଲା ପରେ ଚୂଡ଼ାନ୍ତ ହିସାବ ହେବ। ମୋଟାମୋଟି ଭାବେ ୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି।
ବାତ୍ୟା ପ୍ରଭାବରେ ୧୧, ୬୩୭ ଗାଁର ୪୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମୋଟ ୧୬, ୪୧୭ ଘର ପ୍ରଭାବିତ, ୨୭ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ, ୧୪, ୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଭାଗୱାରୀ ହିସାବ ଭିତ୍ତିରେ ଶକ୍ତି ବିଭାଗ ବେଶୀ କ୍ଷତିଗ୍ରସ୍ତ ହୋଇଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କ୍ଷୟକ୍ଷତି ସ୍ପଷ୍ଟ ହେବ। ରିପୋର୍ଟ ଆସିଲା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।