Odisha Link
Bridging the Missing Links in Odisha

ଆଜି ଶ୍ରୀଜିଉଙ୍କ ସ୍ୱତନ୍ତ୍ର ବେଶ, ହରିହର ବେଶରେ ବଡ଼ଠାକୁର

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ହେବ ଶ୍ରୀଜିଉଙ୍କ ହରିହର ବେଶ। ଅବକାଶ ନୀତି ଶେଷ ହେବା ପରେ ପରମ୍ପରା ଅନୁସାରେ କାର୍ତିକ ମାସରେ ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବା ହେତୁ ଆଜି ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥିଲେ। ଉଭୟ ଶିବ ଓ ବିଷ୍ଣୁଙ୍କ ମିଳିତ ଅଂଶ ସ୍ୱରୂପ ଏହି ଦୁର୍ଲଭ ବେଶ ଦର୍ଶନ ବେଶ ଆକର୍ଷଣୀୟ। ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରାଇଥିବା ବେଳେ ଏହି ବେଶରେ ମହାପ୍ରଭୁ ମାନଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଅଛି।

ପରମ୍ପରା ଅନୁସାରେ କାର୍ତିକ ମାସ ଅମାବାସ୍ୟା ପରଦିନ ଠାରୁ ପଂଚୁକ ଆରମ୍ଭର ଏକାଦଶୀ ତିଥୀ ମଧ୍ୟରେ ପଡୁଥିବା ସୋମବାର ଦିବସରେ ବଡ଼ଠାକୁରଙ୍କର ଏହି ଦୁର୍ଲଭ ହରିହର ବେଶ ଅନୁଷ୍ଠିତ ହୋଇଥାଏ ଯାହାକୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ତେବେ ଚଳିତ ବର୍ଷ ଆଜି ଓ ଆଗାମୀ ସୋମବାର ୧୧ ତାରିଖ ଦିନ ସେହି ସୌଭାଗ୍ୟ ପଡ଼ୁଥିବା ହେତୁ ସେଦିନ ମଧ୍ୟ ହରିହର ବେଶ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ହୋଇଛି।

Leave A Reply

Your email address will not be published.