ନିର୍ବାଚନ ପୂର୍ବରୁ ହଟିଲେ ମହାରାଷ୍ଟ୍ର ଡିଜିପି, ବିରୋଧୀ ଆଣିଥିଲେ ବଡ଼ ଅଭିଯୋଗ
ଓଏଲ୍ ବ୍ୟୁରୋ: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ନିର୍ବାଚନ କମିଶନର। ବିପକ୍ଷ ଦଳ ଗୁଡ଼ିକର ଅଭିଯୋଗ ପରେ ଆକ୍ସନ ମୁଡ଼ରେ ନିର୍ବାଚନ କମିଶନର। ମହାରାଷ୍ଟ୍ରର ପୁଲିସ ମୁଖ୍ୟ ରଶ୍ମୀ ଶୁକ୍ଳାଙ୍କୁ ବଦଳି କରିଛନ୍ତି ନିର୍ମାଚନ କମିଶନର। କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ଡିଜିପି ରଶ୍ମୀ ଶୁକ୍ଲାଙ୍କ ଉପରେ ଆଣିଥିଲେ ଅଭିଯୋଗ। ଏସବୁକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିର୍ବାଚନ ଆୟୋଗ ରଶ୍ମୀ ଶୁକ୍ଲାଙ୍କୁ ମହାରାଷ୍ଟ୍ରର ଡିଜିପି ପଦରୁ ବଦଳି କରିଛନ୍ତି। ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଏହି ଚାର୍ଜ ହସ୍ତାନ୍ତର କରିବାକୁ ଇସି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମି ଶୁକ୍ଲା ମହାରାଷ୍ଟ୍ରର ପ୍ରଥମ ମହିଳା ଡିଜିପି ହେବାର ଆଖ୍ୟା ପାଇଛନ୍ତି। ୧୯୮୮ର ବ୍ୟାଚ୍ ମହାରାଷ୍ଟ୍ର କ୍ୟାଡର ମହିଳା ଅଫିସର ରଶ୍ମୀ ମଧ୍ୟ ଶସସ୍ତ୍ର ସୀମା ବଳର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାର ସମୟରେ ରଶ୍ମୀ ଶୁକ୍ଲା ରାଜ୍ୟ ଗୁପ୍ତଚର ବିଭାଗର ମୁଖ୍ୟ ଥିଲେ।
ମହାରାଷ୍ଟ୍ରର ଡିଜିପି ଭାବରେ ନିଯୁକ୍ତି ପାଇଁ ଆସନ୍ତାକାଲି ଅପରାହ୍ନ ଗୋଟାଏ ସୁଦ୍ଧା ୩ ଜଣ ଆଇପିଏସ୍ ଅଧିକାରୀଙ୍କ ଏକ ପ୍ୟାନେଲ୍ ପଠାଇବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିଛି ଦିନ ତଳେ ମୁଖ୍ୟ ନିର୍ବାଚନ କମିଶନର ନିର୍ବାଚନ ଘୋଷଣା ସମୟରେ ଅଧିକାରୀମାନଙ୍କୁ ନିରପେକ୍ଷ ଏବଂ ଉପଯୁକ୍ତ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାଥାଉକି, ନଭେମ୍ୱର ୨୦ ତାରିଖରେ ହେବ ମହାରାଷ୍ଟ୍ରର ନିର୍ବାଚନ। ସମସ୍ତ ୨୮୮ ଟି ଆସନ ପାଇଁ ଭୋଟ୍ ଦେବେ ଜନତା। ତାର ଫଳାଫଳ ନଭେମ୍ବର ୨୩ରେ ପ୍ରକାଶ ପାଇବ।