Odisha Link
Bridging the Missing Links in Odisha

ଲୋକଙ୍କୁ ଭ୍ରମିତ କରୁଛି ବିଜେଡି, ଓଡ଼ିଶାରୁ ଫେରିବନି ନିପ୍ପନ୍ ଷ୍ଟିଲ୍: ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଓଡ଼ିଶା ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିବା ବେଳେ ବିରୋଧୀ-ସରକାରଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି। ଶିଳ୍ପ ଭିତ୍ତିଭୂମି ନେଇ ଚର୍ଚ୍ଚା ଲାଗିରହିଥିବାବେଳେ ବିଜେପିକୁ ଟାର୍ଗେଟ କଲା ବିଜେଡି। ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଜାପାନ ଯାଇ ନିପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ, ହେଲେ ଏବେ ଏହା ଆନ୍ଧ୍ରକୁ ଚାଲି ଯାଉଛି।

ଯାହାର ଜବାବ ରଖିଛନ୍ତି ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ। ମନ୍ତ୍ରୀ କହିଛନ୍ତି, ବିଜେଡି ସମୟରେ ଯେଉଁ କମ୍ପାନୀ ଫେରି ଯାଇଥିଲେ ସେମାନେ ଏବେ ଫେରୁଛନ୍ତି। ପୂର୍ବ ସରକାର ଦୁଇ ବର୍ଷ ଶିଥିଳ ହୋଇଥିଲା କୌଣସି କାମ କରୁନଥିଲେ। ବିଜେଡି ତିଷ୍ଠି ରହିବାକୁ ଉଦ୍ୟମ ସହ ଲୋକଙ୍କୁ ଭ୍ରମିତ କରୁଛି ବୋଲି ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ କହିଛନ୍ତି।

ସୂଚନା ଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଜାପାନ ଯାଇ ନିପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ, ହେଲେ ଏବେ ଏହା ଆନ୍ଧ୍ରକୁ ଚାଲି ଯାଉଛି, ଯାହାକି ଓଡିଶା ପାଇଁ ଦୁର୍ଭାଗ୍ୟଜନକ ବୋଲି ବିଜେଡି ନେତା ପ୍ରତାପ ଜେନା କହିଛନ୍ତି। ନିପନ ଷ୍ଟିଲ ଓଡ଼ିଶାରେ ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ନିବେଶ କରିଥାନ୍ତା। ଯାହା ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିବା ସହ ଶିଳ୍ପ ସମୃଦ୍ଧ ରାଜ୍ୟ ହୋଇଥାନ୍ତା ଓଡ଼ିଶା। ହେଲେ ଦିଲ୍ଲୀ ରିମୋର୍ଟ କଣ୍ଟ୍ରୋଲ ସରକାର ପାଇଁ ନିପନ୍ ଷ୍ଟିଲ ଆନ୍ଧ୍ରକୁ ଚାଲିଯାଉଛି ବୋଲି ପ୍ରତାପ ଜେନା କହିଛନ୍ତି।

ପ୍ରତାପ ଜେନା ଆହୁରି ମଧ୍ୟ କହିଛନ୍ତି, ଜେଏସଡବ୍ଲ୍ୟୁ ଇଭି ପାଇଁ ମଧ୍ୟ ବିଜେଡି ସରକାର ଜମି ଦେଇ ପୂର୍ବରୁ ପ୍ରକ୍ରିୟା ଆରମ୍ଭ କରିଥିଲେ, କିନ୍ତୁ ତାହା ବି ମହାରାଷ୍ଟ୍ରକୁ ଚାଲିଯାଉଛି। ନିବେଶକଙ୍କ ବିଜେପି ସରକାରଙ୍କ ଉପରେ ବିଶ୍ୱାସ ଭରସା ପାଉନି। ନବୀନ ପଟ୍ଟନାୟକଙ୍କ ସରକାର ଉପରେ ଭରସା କରି ଅନେକ ଶିଳ୍ପ ଓଡ଼ିଶାକୁ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ଏବେ ଅନ୍ୟ ରାଜ୍ୟକୁ ପଳାଇବାକୁ ଯାଉଛନ୍ତି। ନିକମା ସରକାର ପାଇଁ ଓଡିଶାରୁ ଶିଳ୍ପ ଉଠିଯାଉଛି ବୋଲି ପ୍ରତାପ ଜେନା କହିଛନ୍ତି।

Leave A Reply

Your email address will not be published.