ଓଡ଼ିଶା କଂଗ୍ରେସ ପାଇବ ନୂଆ ମୁଖିଆ, ଆଜିଠୁ ସଭାପତି ଖୋଜିବେ ଏଆଇସିସି ନେତା
ଓଏଲ୍ ବ୍ୟୁରୋ: ଖାଁ ଖାଁ ଥିବା କଂଗ୍ରେସ ଭବନ ହଠାତ୍ ଜନଗହଳି ହେବାରେ ଲାଗିଛି। କାରଣ ଖୁବଶୀଘ୍ର ଓଡ଼ିଶା କଂଗ୍ରେସକୁ ମିଳିବେ ନୂଆ ମୁରବି । ୪ ମାସ ହେବ ମୁରବି ବିହୀନ ହୋଇ ରହିଛି ଓଡ଼ିଶା କଂଗ୍ରେସ। ଏବେ ବି କଂଗ୍ରେସ ମୁଖିଆ କିଏ ହେବେ ସେନେଇ ଅଙ୍କ ଛିଣ୍ଡୁନି। ଏସବୁ ମଧ୍ୟରେ ଆଜି ଆସୁଛନ୍ତି ଷ୍ଟିୟରିଂ କମିଟିର ଏଆଇସିସି ନେତା ଚରଣଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନ। ଛତିଶଗଡ଼ ବିରୋଧୀ ଦଳ ନେତା ଚରଣଦାସ ମହନ୍ତ ଓ ବରିଷ୍ଠ ନେତ୍ରୀ ମୀନାକ୍ଷୀ ନଟରାଜନ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏମାନେ ରାଜ୍ୟ ନେତାଙ୍କ ସହ ଆଲୋଚନା କରି ଏଆଇସିସିକୁ ରିପୋର୍ଟ ଦେବେ। ସକାଳୁ ରାତି ଯାଏଁ ଏହି ଦୁଇ ନେତା କଂଗ୍ରେସ ଭବନରେ ବୈଠକ କରିବେ ବୋଲି ସୂଚନା ରହିଛି।
ଦୁଇ ବରିଷ୍ଠ ନେତା ପ୍ରଥମେ ଷ୍ଟିଅରିଂ କମିଟି ସହ ଆଲୋଚନା କରିବେ। ବିଧାୟକ ଓ ସାଂସଦଙ୍କୁ ଭେଟି ମତାମତ ନେବେ। ଜିଲ୍ଲା ସଭାପତି ଓ ଛାମୁଆ ସଙ୍ଗଠନ ନେତାଙ୍କ ସହ ବି ବୈଠକ ହେବ। ଏହାପରେ କିଛି ନେତାଙ୍କ ସହ ଏକାନ୍ତ ଆଲୋଚନା ବି କରିବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ କଂଗ୍ରେସ ଶିବିରରେ ଆଲୋଚନା ହେଉଛି ଯେ ପିସିସି ସଭାପତି ଦୌଡ଼ରେ ଏବେ ଭକ୍ତ ଦାସ ଓ ମହମ୍ମଦ ମୋକିମଙ୍କ ନାଁ ଆଗରେ ରହିଛି। ସେହିପରି ରାଜ୍ୟର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ମଧ୍ୟ ଦୌଡ଼ରେ ଥିବା ଜଣାପଡ଼ିଛି।
ନିକଟରେ କଂଗ୍ରେସର ୪୦ରୁ ଅଧିକ ନେତା ଛତିଶଗଡ଼ ଯାଇ ଚରଣଦାସ ମହନ୍ତଙ୍କୁ ଭେଟି ମୋକିମଙ୍କ ପାଇଁ ଲବି କରିଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ଦୁଇ ଦିନ ହେଲା ମହମ୍ମଦ ମୋକିମଙ୍କ ଅନେକ ସମର୍ଥକ ବନ୍ଧୁମିଳନ ନାଁରେ ଏକାଠି ହୋଇଛନ୍ତି। ସେହିପରି ଭକ୍ତ ଦାସ କିଛି ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଏକ ତାରକା ହୋଟେଲରେ ବୈଠକ କରିଛନ୍ତି।