ଆଜି ଭୋଟ୍ ଦେବ ଆମେରିକା, ଜିତିବ କିଏ ?
ଓଏଲ୍ ବ୍ୟୁରୋ: କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ? ପୁଣି କ୍ଷମତାକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ ? ନା ବାଜି ମାରିନେବେ ଭାରତୀୟ ବଂଶଦ୍ଭବ କମଲା ହାରିସ। ସେ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ। ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ପଡ଼ିବ ଭୋଟ। ମଙ୍ଗଳବାର ଦେଶରେ ଶେଷ ପର୍ଯ୍ୟାୟ ଭୋଟିଂ ହେବାକୁ ଥିବାବେଳେ ଏଥର କାହା ମୁଣ୍ଡରେ ଆମେରିକାବାସୀ ସୁନାକଳସ ଢାଳୁଛନ୍ତି ତାହା ଉପରେ ସାରା ବିଶ୍ୱର ନଜର। ଏବେ ସବୁ ପ୍ରକାର ଆକଳନ ସ୍ୱିଙ୍ଗ୍ ଷ୍ଟେଟ୍ସ ବା ଝୁଲା ପ୍ରଦେଶ ଉପରେ ଅଟକି ରହିଛି। ଉଭୟ କମଳା ଏବଂ ଟ୍ରମ୍ପ୍ ନିଜର ସବୁ ବଳ ପ୍ରୟୋଗ କରି ସ୍ୱିଙ୍ଗ୍ ଷ୍ଟେଟ୍ସରେ ଜୋରଦାର ପ୍ରଚାର କରିଛନ୍ତି। ଯଦି ଚଳିତ ନିର୍ବାଚନରେ କମଳା ବାଜିମାତ୍ କରନ୍ତି ତେବେ ଆମେରିକା ଭଳି ବିକଶିତ ରାଷ୍ଟ୍ରର ସେ ହେବେ ପ୍ରଥମ ମହିଳା ରାଷ୍ଟ୍ରପତି।
ଆମେରିକା ସମୟ ଅନୁସାରେ ମଙ୍ଗଳବାର ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ୟ। ଭାରତୀୟ ସମୟ ଅନୁସାରେ ଅପରାହ୍ନ ସାଢ଼େ ୪ଟାରୁ ବୁଧବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ଏହାର କିଛି ଘଣ୍ଟା ପରେ ହିଁ ଫଳାଫଳ ସାମ୍ନାକୁ ଆସିଯିବ। ତେବେ ଭୋଟଦାନ ପୂର୍ବରୁ ହିଁ ପ୍ରାୟ ସାଢ଼େ ୭ କୋଟି ଲୋକ ଆଗୁଆ ମତଦାନ କରିସାରିଛନ୍ତି।
କିଛି ଘଣ୍ଟା ପରେ ହ୍ୱାଇଟ ହାଉସର ବସ୍ କିଏ ହେବ ତାହା ସ୍ପଷ୍ଟ ହେବ। ମତଦାନ ପାଇଁ କ୍ୟାମ୍ପେନର ଡେଡଲାଇନ୍ ପୂର୍ବରୁ ଶକ୍ତି ପ୍ରଦର୍ଶନ ପାଇଁ ବଳ ପ୍ରଚାର କରିଛନ୍ତି ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ଏଥର ନିର୍ବାଚନରେ ବୃହତ ବ୍ୟବଧାନରେ ନିର୍ବାଚନ ଜିଣିବେ ବୋଲି ଦୁଇ ପ୍ରାର୍ଥୀ ଦୃଢ଼ ଆଶାବାଦୀ ରହିଛନ୍ତି।
ସୂଚନାଥାଉକି, ଡେମୋକ୍ରାଟିକ୍ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ଭାରତୀୟ ବଂଶଦ୍ଭବ କମଲା ହାରିସ। ସେପଟେ ରିପବ୍ଲିକାନ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଉଭୟଙ୍କ ମଧ୍ୟରେ ହୋଇପାରେ କଡ଼ା ଟକ୍କର। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବିଜୟୀ ପାଇଁ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରୁ ୨୭୦ ଭୋଟ୍ ସହ ପ୍ରାର୍ଥୀଙ୍କୁ ଅତି କମରେ ତିନିଟି ପ୍ରମୁଖ ରାଜ୍ୟରେ ଜିତିବାକୁ ପଡ଼ିବ।