କେମିତି ହୁଏ ଆମେରିକା ରାଷ୍ଟ୍ରପତି ନିର୍ବାଚନ ?
ଚଳିତ ନିର୍ବାଚନରେ କମଳା ବାଜିମାତ୍ କରନ୍ତି ତେବେ ଆମେରିକା ଭଳି ବିକଶିତ ରାଷ୍ଟ୍ରର ସେ ହେବେ ପ୍ରଥମ ମହିଳା ରାଷ୍ଟ୍ରପତି।
ଓଏଲ୍ ବ୍ୟୁରୋ: କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ? ପୁଣି କ୍ଷମତାକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ ? ନା ବାଜି ମାରିନେବେ ଭାରତୀୟ ବଂଶଦ୍ଭବ କମଲା ହାରିସ। ସେ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ। ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ପଡ଼ିବ ଭୋଟ। ମଙ୍ଗଳବାର ଦେଶରେ ଶେଷ ପର୍ଯ୍ୟାୟ ଭୋଟିଂ ହେବାକୁ ଥିବାବେଳେ ଏଥର କାହା ମୁଣ୍ଡରେ ଆମେରିକାବାସୀ ସୁନାକଳସ ଢାଳୁଛନ୍ତି ତାହା ଉପରେ ସାରା ବିଶ୍ୱର ନଜର। ଏବେ ସବୁ ପ୍ରକାର ଆକଳନ ସ୍ୱିଙ୍ଗ୍ ଷ୍ଟେଟ୍ସ ବା ଝୁଲା ପ୍ରଦେଶ ଉପରେ ଅଟକି ରହିଛି। ଉଭୟ କମଳା ଏବଂ ଟ୍ରମ୍ପ୍ ନିଜର ସବୁ ବଳ ପ୍ରୟୋଗ କରି ସ୍ୱିଙ୍ଗ୍ ଷ୍ଟେଟ୍ସରେ ଜୋରଦାର ପ୍ରଚାର କରିଛନ୍ତି। ଯଦି ଚଳିତ ନିର୍ବାଚନରେ କମଳା ବାଜିମାତ୍ କରନ୍ତି ତେବେ ଆମେରିକା ଭଳି ବିକଶିତ ରାଷ୍ଟ୍ରର ସେ ହେବେ ପ୍ରଥମ ମହିଳା ରାଷ୍ଟ୍ରପତି।
ଆମେରିକା ସମୟ ଅନୁସାରେ ମଙ୍ଗଳବାର ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଭାରତୀୟ ସମୟ ଅନୁସାରେ ଅପରାହ୍ନ ସାଢ଼େ ୪ଟାରୁ ବୁଧବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ଏହାର କିଛି ଘଣ୍ଟା ପରେ ହିଁ ଫଳାଫଳ ସାମ୍ନାକୁ ଆସିଯିବ। ତେବେ ଭୋଟଦାନ ପୂର୍ବରୁ ହିଁ ପ୍ରାୟ ସାଢ଼େ ୭ କୋଟି ଲୋକ ଆଗୁଆ ମତଦାନ କରିସାରିଛନ୍ତି।
କିଛି ଘଣ୍ଟା ପରେ ହ୍ୱାଇଟ ହାଉସର ବସ୍ କିଏ ହେବ ତାହା ସ୍ପଷ୍ଟ ହେବ। ମତଦାନ ପାଇଁ କ୍ୟାମ୍ପେନର ଡେଡଲାଇନ୍ ପୂର୍ବରୁ ଶକ୍ତି ପ୍ରଦର୍ଶନ ପାଇଁ ବଳ ପ୍ରଚାର କରିଛନ୍ତି ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ଏଥର ନିର୍ବାଚନରେ ବୃହତ ବ୍ୟବଧାନରେ ନିର୍ବାଚନ ଜିଣିବେ ବୋଲି ଦୁଇ ପ୍ରାର୍ଥୀ ଦୃଢ଼ ଆଶାବାଦୀ ରହିଛନ୍ତି। ତେବେ ଆସନ୍ତୁ ଜାଣିବା ଆମେରିକାର ନିର୍ବାଚନୀ ପ୍ରକ୍ରିୟା, ବିଧି-ବ୍ୟବସ୍ଥା ସମ୍ପର୍କରେ।
ଆମେରିକାର ଆସନ ଗଣିତ:
ଆମେରିକା ପ୍ରତିନିଧି ସଭାରେ ମୋଟ ୪୩୫ଟି ଆସନ ରହିଛି। ସେହିପରି ‘ସିନେଟ’ରେ ୧୦୦ ଆସନ ରହିଛି। ସେହିପରି ରାଜଧାନୀ ଓ୍ବାଶିଟନ-ଡିସି ପାଇଁ ୩ଟି ମନୋନୀତ ଆସନ ରହିଛି। ସେହିପରି ଭାବେ ମୋଟ ୫୩୮ ଆସନ ପାଇଁ ନିର୍ବାଚନ ହୋଇଥାଏ। ଆମେରିକାରେ ସିନେଟ ପାଇଁ ପ୍ରତ୍ୟେକ ରାଜ୍ୟରୁ ୨ ଜଣ ଲେଖାଏଁ ଅର୍ଥାତ 100 ଜଣ ସିନେଟର ନିର୍ବାଚିତ ହୋଇଥାନ୍ତି। ତେବେ ୫୩୮ ଆସନ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ଭୋଟ ଅର୍ଥାତ ୨୭୦ ଜଣ ନିର୍ବାଚନ ବା ‘ଇଲେକ୍ଟୋର’ ଜିତିଥିବା ଦଳର ପ୍ରାର୍ଥୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥାନ୍ତି। ସ୍ପଷ୍ଟ ବହୁମତ ନମିଳିଲେ ଅନ୍ୟାନ୍ୟ ପ୍ରାଣାଳୀ ଗ୍ରହଣ କରାଯାଏ। ଯାହା ପ୍ରାୟତଃ ଦେଖାଯାଏ ନାହିଁ।
ପ୍ରତ୍ୟେକ ପ୍ରଦେଶର ଭୋଟରମାନେ ପ୍ରତ୍ୟକ୍ଷ ଭାବେ ସେମାନଙ୍କର ଇଲେକ୍ଟରଙ୍କୁ ଭୋଟ ଦେଇଥାନ୍ତ । ଉକ୍ତ ପ୍ରଦେଶରେ ଥିବା ମୋଟ ଆସନର ୫୦ ପ୍ରତିଶତରୁ ଅଧିକ ଆସନ ଜିତିଥିବା ଦଳକୁ ବିଜେତା ଘୋଷଣା କରାଯାଏ। ସଂଖ୍ୟା ଗରିଷ୍ଠ ଦଳ ସମସ୍ତ ଆସନରେ ବିଜୟୀ ହେଲା ବୋଲି ଘୋଷଣା କରାଯାଏ । ଅର୍ଥାତ ଉଦାହରଣ ସ୍ୱରୂପ ୩୦ ଆସନରୁ ୧୬ ଆସନରେ ଜିତିଥିବା ଦଳ ହିଁ ସମସ୍ତ ୩୦ ଆସନରେ ଜିତିଛି ବୋଲି ଧରାଯାଏ। ଏହା ସହ ପରାଜିତ ପ୍ରାର୍ଥୀଙ୍କର କୌଣସି ପରବର୍ତ୍ତୀ ନିର୍ବାଚନୀ ଭୂମିକା ରହେନାହିଁ । ଏହାକୁ ‘ପପୁଲାର ଭୋଟିଂ ସିଷ୍ଟମ’ ବୋଲି କୁହାଯା ।
ଡିସେମ୍ବର ମାସ ଦ୍ବିତୀୟ ବୁଧବାର ପରେ ପଡୁଥିବା ପ୍ରଥମ ସୋମବାର ଦିନ ବିଜେତା ନିର୍ବାଚନ ପ୍ରତିନିଧିମାନେ ସେମାନଙ୍କ ପ୍ରାଦେଶିକ ବ୍ୟବସ୍ଥାପିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମତଦାନ କରନ୍ତି । ଏହା ପରେ ସମସ୍ତ ବ୍ୟବସ୍ଥାପିକାରେ ମତଗଣନା କରାଯାଇ ଫଳାଫଳ ସଂସଦ ବା ଜାତୀୟ ବ୍ୟବସ୍ଥାପିକାରେ ଦାଖଲ କରାଯାଏ। ଜାନୁଆରୀ ୬ ତାରିଖରେ ସଂସଦର ଉଚ୍ଚ ସଦନର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ବିଜେତା ଇଲେକ୍ଟରଙ୍କର ଏକ ମିଳିତ ଅଧିବେଶନ ଆହୁତ କରାଯଇ ସମସ୍ତ ଭୋଟ ଗଣତି ହୋଇଥାଏ। ତେବେ ୨୭୦ ଆସନରେ ନିର୍ବାଚକଙ୍କ ଭୋଟ ପାଇଥିବା ପ୍ରାର୍ଥୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥାନ୍ତି।