ମେଘନାଦ ପ୍ରାଚୀର ପ୍ରସଙ୍ଗ: ସୁରକ୍ଷା ନେଇ ବିଜେଡିର କଟାକ୍ଷ
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ସୁରକ୍ଷା କବଚ ହେଉଛି ମେଘନାଦ ପାଚେରୀ। ହେଲେ ଏହି ପାଚେରିର ଏକାଧିକ ସ୍ଥାନରେ ଫାଟ ଓ କଣା ରହିଛି। ସେଥି ମଧ୍ୟରୁ ଅନବରତ ଝରୁଛି ପାଣି। ଐତିହ୍ୟ ସଂପନ୍ନ ପାଚେରୀର ଏକାଧିକ ସ୍ଥାନରୁ ଅନବରତ ଗଳୁଛି ପାଣି। ଏହାକୁ ଦେଖି ବୁଦ୍ଧିଜୀବୀଙ୍କଠୁ ସେବାୟତଙ୍କ ଯାଏ ପ୍ରଶାସନ ଓ ASIର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ବେପରୁଆ କାମ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ଆଣିଛନ୍ତି।
ଯାହାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଛି। ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିବା ସହ ଏଏସ୍ଆଇ କଣ କରୁଛି ବୋଲି ପ୍ରଶ୍ନ କରିଛି। ବିଜେଡି କହିଛି, ASI ଉପରେ ମେଘନାଦ ପାଚେରୀର ସୁରକ୍ଷା ଦାୟିତ୍ୱ। କିନ୍ତୁ ସରକାରକୁ ୪ ମାସ ପୂରିଲାଣି, କାହିଁକି ପଦକ୍ଷେପ ନେଉନାହାନ୍ତି। ପରିକ୍ରମା ପ୍ରକଳ୍ପ ଯୋଗୁଁ ପାଣି ଗଳୁଛି ବୋଲି ବିଜେପି କହୁଛି। ପର୍ବତକୁ ଢେଲା ମାରିଲା ଭଳି କହୁଛନ୍ତି ବିଜେପି ନେତା। କେଉଁ ବୈଷୟିକ ଅଭିଜ୍ଞତା ଆଧାରରେ ଏହା କହିଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି।
ଅନ୍ୟପଟେ, ମେଘନାଦ ପାଚେରୀରେ ଥିବା ଫାଟ ଅନେକ ଦିନର। ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଉଚ୍ଛେଦ ଯୋଗୁଁ ଏହି ଫାଟ ହୋଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଏ ନେଇ ଏଏସ୍ଆଇକୁ ଚିଠି ଲେଖା ହୋଇଥିଲା। ତେବେ ସେ ଫାଟର ଗୋଟିଏ ସ୍ଥାୟୀ ମରାମତି ପାଇଁ ଏଏସ୍ଆଇ ପ୍ରକ୍ରିୟା ଆରମ୍ଭ କରିଛି। ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଫାଟ ଗୁଡ଼ିକର ସ୍ଥାୟୀ ମରାମତି କରିବା ସହ ମନ୍ଦିରର ବିଭିନ୍ନ ସ୍ଥାନରୁ ଯେଉଁ ପାଣି ଗଳୁଛି ତାକୁ ନେଇ ମଧ୍ୟ ଗୋଟିଏ କମ୍ପ୍ରେହେନସିଭ୍ ପ୍ଲାନ୍ ପ୍ରସ୍ତୁତ ହୋଇଛି। ଖୁବ୍ ଶୀଘ୍ର ସେସବୁର କାମ ଶେଷ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।