ଇସ୍କନର ଅଦିନିଆ ରଥଯାତ୍ରା: ଗଜପତିଙ୍କ କଡ଼ା ଜବାବ
ଓଏଲ୍ ବ୍ୟୁରୋ: ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ଇସ୍କନର ଅଦିନିଆ ରଥଯାତ୍ରା। ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ବିବାଦ ହେଉଥିବାବେଳେ ଅଦିନରେ ଇସ୍କନର ରଥଯାତ୍ରା ଆୟୋଜନ ଉପରେ ଆପତ୍ତି ଉଠାଇଥିଲେ ଗଜପତି ମହାରାଜା। ଚାରିଆଡ଼ୁ ବିରୋଧ ହେବାପରେ ଇସ୍କନ କର୍ତ୍ତୃପକ୍ଷ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ନାନଯାତ୍ରା କାର୍ଯ୍ୟକ୍ରମ ବାତିଲ ନେଇ ସୂଚନା ମିଳିଥିବାବେଳେ ରଥ ଯାତ୍ରା ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।
ଯାହାକୁ ନେଇ ଚିଠି ମାଧ୍ୟମରେ ଉଲ୍ଲେଖ ପରେ ସାମ୍ବାଦିକ ସମ୍ମିଳନୀରେ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି ଗଜପତି ମହାରାଜ। ଗଜପତି କହିଛନ୍ତି, ଇସ୍କନ ଅନେକ ଥର ଅଦିନିଆ ରଥଯାତ୍ରା ଆୟୋଜନ କରିଛି। ଭାରତ ଓ ଭାରତ ବାହାରେ ଅଦିନିଆ ରଥଯାତ୍ରା ଆୟୋଜନ କରିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ପ୍ରତିଥର ଆପତ୍ତି କରାଯାଇଥିଲା। ଆପତ୍ତି ପରେ ଭାରତ ଭିତରେ ଅଦିନିଆ ରଥଯାତ୍ରା ବନ୍ଦ ରଖିଛି ଇସ୍କନ। ଭାରତ ବାହାରେ କିନ୍ତୁ ଅଦିନିଆ ରଥଯାତ୍ରା କରୁଛି ଇସ୍କନ। ଶ୍ରୀଜଗନ୍ନାଥଙ୍କ ରୀତିନୀତି ଉଲ୍ଲଂଘନ ଠିକ୍ ନୁହେଁ ବୋଲି ଗଜପତି କହିଛନ୍ତି।