ବିରାଟଙ୍କ ବ୍ୟାଟ୍ ଲେଖେ ପ୍ରତ୍ୟାବର୍ତ୍ତନର ନୂଆ କାହାଣୀ
ଓଏଲ୍ ବ୍ୟୁରୋ: ବିଶ୍ବ କ୍ରିକେଟର ବାଦଶାହ, ଟିମ୍ ଇଣ୍ଡିଆର ସଙ୍କଟମୋଚକ। କିଏ କିଏ ତାଙ୍କୁ କମ୍ବ୍ୟାକ୍ କିଙ୍ଗ୍ ମଧ୍ୟ କୁହନ୍ତି। ସେ ଆଉ କେହି ନୁହନ୍ତି ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ତଥା ବିଶ୍ବ କ୍ରିକେଟରେ ରନ୍ ମେସିନ୍ ଭାବେ ପରିଚିତ ବିରାଟ କୋହଲି। ଆଜି ୩୬ ବର୍ଷରେ ପାଦ ଥାପିଛନ୍ତି ବିରାଟ କୋହଲି।
୧୯୮୮ ମସିହାରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ବିରାଟ ଆଜି ୩୬ ବର୍ଷରେ ପାଦ ଥାପିଛନ୍ତି। ଗାଁରୁ ସହର, ଦେଶରୁ ବିଦେଶ ସୁବଠୁ ଛୁଟୁଛି ଶୁଭେଚ୍ଛାର ସୁଅ। ଅଣ୍ଡର୍-୧୯ କ୍ରିକେଟ୍ ଟିମ୍ରୁ କ୍ୟାପ୍ଟେନ କ୍ୟାରିୟର ଆରମ୍ଭ କରିଥିବା କୋହଲି ଏବେ ବିଶ୍ବ କ୍ରିକେଟର କିଙ୍ଗ। ନିକଟରେ ତାଙ୍କ କ୍ରିକେଟ କୀର୍ତ୍ତି ସମସ୍ତଙ୍କୁ ପ୍ରଶଂସିତ କରିବାକୁ ବାଧ୍ୟ କରିଛି । ୨୦୦୮ରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ପକ୍ଷରୁ ପ୍ରଥମେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମ୍ୟାଚ୍ ଡେବ୍ୟୁ ଆରମ୍ଭ କରିଥିଲେ ବିରାଟ। ସେବେଠାରୁ ବର୍ତ୍ତମାନର ୧୬ ବର୍ଷର ଯାତ୍ରା ମଧ୍ୟରେ ବିରାଟ ରେକର୍ଡ ରଚିଛନ୍ତି କୋହଲି। ନାନା ବିବାଦ, ଆଲୋଚନା, ପର୍ଯ୍ୟାଲୋଚନା ପରେ ସେ ଯେ, ଟିମ୍ ଇଣ୍ଡିଆର ରନ୍ ମେସିନ୍ ତାହା ପ୍ରମାଣିତ।
ବିରାଟ କୋହଲିଙ୍କୁ କମ୍ବ୍ୟାକ୍ କିଙ୍ଗ ମଧ୍ୟ କୁହାଯାଏ। କାରଣ ସେ ତାଙ୍କ ୧୬ ବର୍ଷର କ୍ୟାରିୟରରେ ଖୁବ କମ୍ ସମୟ ଖରାପ ସମୟ ଦେଇ ଗତି କରିଛନ୍ତି। ହେଲେ ସେ ସବୁଥର ତାଙ୍କ ବ୍ୟାଟିଂ ଜରିଆରେ ଖରାପ ସମୟକୁ ପଛରେ ପକାଇ ଭାରତୀୟ ଦଳ ପାଇଁ ସୁବର୍ଣ୍ଣ ଇନିଂସ୍ ବାରମ୍ବାର ଖେଳିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ହେଉ କି ଇଂଲଣ୍ଡରେ ସଂଘର୍ଷ, ସେ ଲମ୍ବା ସମୟ ପର୍ଯ୍ୟନ୍ତ ଶତକୀୟ ଇନିଂସ୍ ଖେଳି ନପାରିବା ଭଳି ଖରାପ ସମୟ ଦେଇ ଗତି କରିଛନ୍ତି ବିରାଟ। ହେଲା କୋହଲି ନିଜକୁ ପ୍ରମାଣିତ କରିବା ସହିତ ବ୍ୟାଟ ଜରିଆରେ ସମାଲୋଚକଙ୍କ ପାଟି ଚୁପ୍ କରାଇ ଦେଇଥାନ୍ତି। ୩୬ ବର୍ଷିୟ ବିରାଟଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା।
୧: କ୍ୟାରିୟର ଆରମ୍ଭରୁ ହିଁ କମ୍ବ୍ୟାକ୍
ଟେଷ୍ଟ କ୍ୟାରିୟରର ଆରମ୍ଭରୁ ବିରାଟ କୋହଲି ଝୁଣ୍ଟିଥିଲେ। ପ୍ରଥମ ୫ଟି ଇନିଂସରେ ସେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିବାରେ ବି ବିଫଳ ହୋଇଥିଲେ। ୧୫ଟି ଇନିଂସ୍ ଖେଳିବା ପରେ ଯାଇ ବିରାଟ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ମାରିଥିଲେ। ତାପରଠୁ ବିରାଟ କୋହଲି ଆଉ ପଛକୁ ଫେରି ନାହାନ୍ତି। ୨୦୧୧-୧୨ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଦୁଇ ମ୍ୟାଚରେ ବିରାଟ ସଂଘର୍ଷ କରିଥିଲେ। ପରେ ବାକି ୨ ମ୍ୟାଚରେ ଶାନଦାର କମ୍ବ୍ୟାକ୍ କରିଥିଲେ ରନ୍ ମେସିନ୍ କୋହଲି।
୨: ୨୦୧୪ ମସିହାରେ ଇଂଲଣ୍ଡରେ ହୋଇଥିଲେ ବିଫଳ
୨୦୧୪ ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବିଫଳ ହୋଇଥିଲେ ବିରାଟ। କହିବାକୁ ଗଲେ ପୁରା ଫ୍ଲପ୍ ହୋଇଥିଲେ କୋହଲି। ପରେ ଅଷ୍ଟ୍ରେଲିଆ ସିରିଜରେ ଶାନଦାର କମ୍ବ୍ୟାକ୍ କରିଥିଲେ କିଙ୍ଗ କୋହଲି। ଡିସେମ୍ବରରୁ ଜାନୁଆରୀ ମାସ ମଧ୍ୟରେ ଖେଳାଯାଇଥିବା ୪ଟି ଟେଷ୍ଟ ମ୍ୟାଚରେ ୪ଟି ଶତକୀୟ ଇନିଂସ୍ ଖେଳିଥିଲେ ବିରାଟ।
୩: ୨୦୧୭ ମସିହାରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତରେ ଆସିଥିଲା। ସେହି ସିରିଜରେ ସଂଘର୍ଷ କରିଥିଲେ ବିରାଟ। ୩ଟି ମ୍ୟାଚରେ କେବଳ ୪୬ ରନ୍ ସ୍କୋର କରିଥିଲେ ବିରାଟ। ତାପରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ କମ୍ବ୍ୟାକ୍ କରିଥିଲେ ବିରାଟ। ପ୍ରଥମ ମ୍ୟାଚରେ ଫ୍ଲପ୍ ହେବା ପରେ ଦ୍ବିତୀୟ ଇନିଂସରେ ଶତକୀୟ ଇନିଂସ୍ ଖେଳିଥିଲେ। ଆଉ ତାପରଠୁ କମ୍ବ୍ୟାକ୍ର କାହାଣୀ ଲେଖିଥିଲେ ବିରାଟ।
୪: ୨୦୨୦ରୁ ୨୦୨୩ ଶତକ ଅପେକ୍ଷା
ବିରାଟ କୋହଲିଙ୍କ କ୍ରିକେଟ କ୍ୟାରିୟରରେ ଏଭଳି ସମୟ ଆସିଛି, ସେ ଶତକୀୟ ଇନିଂସ୍ ଖେଳିବା ପାଇଁ ବ୍ୟାକୁଳ ହୋଇ ରହିଥିଲେ। ପାଖାପାଖି ୩ ବର୍ଷ ପର୍ଯ୍ୟନ୍ତ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ଶତକ ମାରି ପାରିନଥିଲେ। ପ୍ରାୟ ମ୍ୟାଚରେ ଭଲ ବ୍ୟାଟିଂ କରିବା ସତ୍ତ୍ବେ ସେ ସ୍କୋରକୁ ଶତକରେ ପରିଣତ କରିବାରେ ବିଫଳ ହୋଇଥିଲେ। ପରେ ଶତକୀୟ ଇନିଂସ୍ ଖେଳି କମ୍ବ୍ୟାକ କରିଥିଲେ ବିରାଟ।
୫: ୨୦୨୪ ଟି-୨୦ରେ ବି ବିରାଟ ଫେଲ୍
ଟି-୨୦ ବିଶ୍ବକପ୍ ୨୦୨୪ରେ ବିରାଟ କୋହଲି ଫାଇନାଲ ମ୍ୟାଚକୁ ଛାଡ଼ିଦେଲେ ଆଉ କୌଣସି ମ୍ୟାଚରେ ଭଲ ସ୍କୋର କରିବାରେ ସଫଳ ହୋଇନଥିଲେ। ହେଲେ କମ୍ବ୍ୟାକ୍ କିଙ୍ଗ ଭାବେ ଜଣାଶୁଣା ବିରାଟ ଫାଇନାଲ ମ୍ୟାଚରେ ଦକ୍ଷିଣଆଫ୍ରିକା ବିପକ୍ଷରେ ଦମଦାର ଇନିଂସ୍ ଖେଳିବା ସହିତ ଭାରତକୁ ଟ୍ରଫି ଜିତିବାରେ ସହାୟକ ହୋଇଥିଲେ।