ଜଗନ୍ନାଥପ୍ରେମୀଙ୍କ ଭାବାବେଗ ଆଗରେ ନଇଁଲା ଇସ୍କନ, ରଥଯାତ୍ରା ବନ୍ଦ
ଓଏଲ୍ ବ୍ୟୁରୋ: ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଲାଗିଲା ବିିରାମ। ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଚିଠି ଓ ବୟାନ୍ ପରେ ନଇଁଲା ଇସ୍କନ। ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଆୟୋଜିତ ହେବାକୁ ଥିବା ରଥଯାତ୍ରାକୁ ବାତିଲ କରାଯାଇଛି। ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ନିଷ୍ପତ୍ତି ହୋଇଥିବା ପ୍ରେସ ରିଲିଜ୍ ଜରିଆରେ ଇସ୍କନ ପରିଚାଳନା ପରିଷଦ ପକ୍ଷରୁ ସୂଚନା ଦେଇଛି। ତେବେ ରଥଯାତ୍ରା ବଦଳରେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ।
ଇସ୍କନର ଅଦିନିଆ ରଥଯାତ୍ରା ଖବର ସାମ୍ନାକୁ ଆସିବା ପରେ କେତେ ବିରୋଧ, କେତେ ଆପତ୍ତି ହୋଇଥିଲା। ତଥାପି ନଭେମ୍ବର ୯ରେ ଅଦିନିଆ ରଥଯାତ୍ରା ଆୟୋଜନ ଜିଦ୍ ଧରି ବସିଥିଲା ଇସ୍କନ। ଆମେରିକା ହ୍ୟୁଷ୍ଟନରେ ସେଦିନ ରଥଯାତ୍ରା କରିବାକୁ ମାତିଥିଲା ସଂସ୍ଥା। ଅଦିନିଆ ରଥଯାତ୍ରାକୁ ନେଇ ହ୍ୟୁଷ୍ଟନ ସହରରୁ ବି ଶୁଭିଥିଲା ଇସ୍କନ ବିରୋଧୀ ସ୍ୱର। ହ୍ୟୁଷ୍ଟନରୁ ପ୍ରବାସୀ ଓଡ଼ିଆ ଓ ପ୍ରବାସୀ ଭାରତୀୟମାନେ ଜଗନ୍ନାଥ ସଂସ୍କୃତିର ରକ୍ଷା ପାଇଁ ସରକାରଙ୍କୁ ନିବେଦନ କରିଥିଲେ। ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ନଖେଳିବାକୁ ସେମାନେ ତାଗିଦ୍ ବି କରିଥିଲେ। ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ହେଉ କି ଗଜପତି ମହାରାଜାଙ୍କ ଚିଠି। ଏସବୁକୁ ବେଖାତିର କରି ଆସୁଥିଲା ଇସ୍କନ।
ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଗଜପତି ମହାରାଜା। ଆସନ୍ତା ୯ ତାରିଖରେ ହ୍ୟୁଷ୍ଟନ ସହରରେ ଇସ୍କନ ପକ୍ଷରୁ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ପାଇଁ ସ୍ଥିର ହୋଇଥିଲା। ତେବେ ଗଜପତି ମହାରାଜାଙ୍କ କ୍ଷୋଭ ପରେ ସ୍ନାନ ଯାତ୍ରା ବାତିତ ହୋଇଥିଲା। ଏବେ ଅଦିନ ରଥଯାତ୍ରା ବି ବାତିଲ ହୋଇଛି।