Odisha Link
Bridging the Missing Links in Odisha

‘କାସଭ’ ଓ ‘ନିତଲ୍’ ଫିଲ୍ମ ଦେଖିବେ ଶିକ୍ଷା ଅଧିକାରୀ

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରେକ୍ଷାଳୟରେ ଫିଲ୍ମର ପ୍ରସାରଣ

ଓଏଲ୍‌ ବ୍ୟୁରୋ: ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଦେଖିବେ ‘କାସଭ’ ଓ ‘ନିତଲ୍’ ଚଳଚ୍ଚିତ୍ର। ଆସନ୍ତା ୭ ତାରିଖରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରେକ୍ଷାଳୟରେ ଏହି ୨ ଫିଲ୍ମକୁ ପ୍ରସାରଣ କରାଯିବ। ୨ଟି ଅଧିବେଶନରେ ପ୍ରଦର୍ଶିତ ହେବାକୁ ଥିବା ଫିଲ୍ମ କାସଭ ସକାଳ ୧୦ରୁ ଅପରାହ୍ନ ୧ଟା ଏବଂ ‘ନିତଲ୍’ ଅପରାହ୍ନ ୨ଟାରୁ ୫ଟା ଯାଏ ପ୍ରଦର୍ଶନ କରାଯିବ। ପଦ୍ମଶ୍ରୀ ଡ. ମୋହନ ଆଗାଶେଙ୍କ ଏହି ୨ଟି ଯାକ ଚଳଚ୍ଚିତ୍ରକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍କ୍ରିନିଂ କରିବାକୁ ଅନୁମତି ଦିଆଯାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟ ବିଭାଗକୁ ଚିଠି କରାଯାଇଛି।

କାସଭ ଚଳଚ୍ଚିତ୍ର ଉଦାସୀନତା ଓ ଆତ୍ମହତ୍ୟାକୁ ନେଇ ଏକ ଅନୁସନ୍ଧାନ ଉପରେ ନିର୍ମାଣ କରାଯାଇଛି। ଏଥିରେ ମାନସିକ ରୋଗରେ ପୀଡ଼ିତ ଜଣେ ଲୋକ କିପରି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଘର୍ଷ କରୁଛି ତାହା ଦର୍ଶାଯାଇଛି। ସେହିପରି ‘ନିତଲ୍’ ଚଳଚ୍ଚିତ୍ରରେ ଚର୍ମ ରୋଗ ଲ୍ୟୁକୋଡର୍ମାରେ ପୀଡ଼ିତ ଏକ ଝିଅକୁ ନେଇ ନିର୍ମାଣ କରାଯାଇଛି। ଏଥିରେ ଏହି ରୋଗ ବିଷୟରେ କିଛି ଭୁଲ ଧାରଣା ଯୋଗୁ ରୋଗାକ୍ରାନ୍ତ ଲୋକମାନେ ସମାଜରେ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଦର୍ଶାଯାଇଛି। ସେହିପରି ରୋଗରେ ପୀଡ଼ିତ ରୋଗୀଙ୍କ ଭାବପ୍ରବଣତା, ସାମାଜିକ ଓ ମାନସିକ ଦିଗ ଉପରେ ଗୁରୁତ୍ବ ଦିଆଯାଇଛି। ଏହି ଚଳଚ୍ଚିତ୍ରରେ ରୋଗୀଙ୍କ ପାଇଁ ପରିବାରର ସହାୟତା କିପରି ଗୁରୁତ୍ବପୂର୍ଣ୍ଣ ତାହା ଦେଖିବାକୁ ମିଳିବ।

ଅଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନେଇ ମୁଖ୍ୟ ଉଦେଶ୍ୟ ରହିଛି। ଡାକ୍ତର, ନର୍ସ, ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନା ସୃଷ୍ଟି ଲାଗି ଏହି ୨ଟି ଫିଲ୍ମର ସ୍କ୍ରିନିଂ କରାଯିବ। ଉଚ୍ଚଶିକ୍ଷା ବିଭାଗର ୧୨ ଜଣ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୧୬ ଜଣ ଅଧିକାରୀ ଚଳଚ୍ଚିତ୍ର ଦେଖିବାକୁ ଯିବେ।

Leave A Reply

Your email address will not be published.