ନଭେମ୍ବର ୨୧ରୁ ଧାନ କିଣା, ମଣ୍ଡି ଜଗିବ ବିଜେପି କୃଷକ ମୋର୍ଚ୍ଚା
ଓଏଲ୍ ବ୍ୟୁରୋ: ନଭେମ୍ବର ୨୧ ତାରିଖରୁ ରାଜ୍ୟରେ ଖରିପ ଧାନ କିଣା ପକ୍ରିୟା ଆରମ୍ଭ ହେବ। ବରଗଡ଼ ଜିଲ୍ଲାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ବର୍ଦ୍ଧିତ ‘ଏମଏସପି’ ଅନୁସାରେ ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ କିଣିବେ ରାଜ୍ୟ ସରକାର। ଧାନ କିଣା ପକ୍ରିୟା ଶେଷ ହେବା ଯାଏ ମଣ୍ଡିରେ ରହିବେ ଅଧିକୃତ ଅଧିକାରୀ।
ଧାନ କିଣାକୁ ନେଇ ଗତକାଲି (ସୋମବାର) ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ବର୍ଦ୍ଧିତ ଏମ୍ଏସପି ସହ କ୍ବିଣ୍ଟାଲ ପିଛା ୮୦୦ ଟଙ୍କା ବୋନସରେ ଚାଷୀଙ୍କଠାରୁ ଧାନ କିଣିବେ। ଧାନ କିଣିବା ପାଇଁ ମଣ୍ଡି ଖୋଲିବ।
କଟନୀଛଟନୀ ରୋକିବାକୁ ମଣ୍ଡି ଜଗିବ ବିଜେପି କୃଷକ ମୋର୍ଚ୍ଚା। କୃଷକ ମୋର୍ଚ୍ଚା କର୍ମୀଙ୍କୁ ଆହ୍ବାନ କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଚାଷୀ ଓ ସରକାରଙ୍କ ମଧ୍ୟରେ ସେତୁ ଭଳି କାମ କରିବ କୃଷକ ମୋର୍ଚ୍ଚା। ବିଭିନ୍ନ ମଣ୍ଡି ବୁଲି ଧାନ କିଣା ଉପରେ କୃଷକ ମୋର୍ଚ୍ଚା ନଜର ରଖିବ ବୋଲି ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି।