Odisha Link
Bridging the Missing Links in Odisha

କାର୍ତ୍ତିକ ମାସରେ Xରେ ଟ୍ରେଣ୍ଡ୍ କଲା ଓଡ଼ିଆ

ଓଏଲ୍‌ ବ୍ୟୁରୋ: କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କହନ୍ତି। ଏହାର ପୂର୍ବବର୍ତ୍ତୀ ମାସ ଆଶ୍ୱିନ ଓ ପରବର୍ତ୍ତୀ ମାସ ମାର୍ଗଶୀର। ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ, ଯେପରି ଯୁଗ ମଧ୍ୟରେ ଶ୍ରେଷ୍ଠ ସତ୍ୟଯୁଗ। ଏହା ଧର୍ମ ମାସ ହୋଇଥିବାରୁ ଗାଁରୁ ସହର ପର୍ଯ୍ୟନ୍ତ ଜନଗଣ ଏ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି। ମାସସାରା ପାଳି ନ ପାରିଲେ ପଞ୍ଚୁକ ପାଞ୍ଚଦିନ ପାଳନ୍ତି। ଏହି ସମୟରେ ଦୀପଦାନ, ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଇତ୍ୟାଦି କରନ୍ତି। ଓଡ଼ିଆ ମାନଙ୍କ ଧର୍ମ ମାସ ମଧ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି। କେବଳ ମନ୍ଦିରରେ ପୂଜା ନୁହେଁ ସୋସିଆଲ ମିଡିଆ ଏକ୍ସରେ ମଧ୍ୟ ଭକ୍ତମାନେ ଭଗବାନଙ୍କ ଫଟୋ ପୋଷ୍ଟ କରିବାରେ ଲାଗିଛନ୍ତି। ଫଟୋ ପୋଷ୍ଟ କରିବା ସହ ଓଡ଼ିଆ ଟ୍ୟାଗ ଦ୍ୱାରା ଓଡ଼ିଆ ଟ୍ରେଣ୍ଡ ପାଲଟିଛି।

ଏଥର କାର୍ତ୍ତିକ ମାସ ସ୍ୱତନ୍ତ୍ର..

କାର୍ତ୍ତିକ ମାସ ଅକ୍ଟୋବର ୧୮ରୁ ଆରମ୍ଭ ହୋଇ ୧୫ ନଭେମ୍ବରରେ ଶେଷ ହେବ। ଏହି ମାସ ଭଗବାନ ବିଷ୍ଣୁଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। ଏହି ମାସରେ ଭକ୍ତମାନେ ତାଙ୍କୁ ପ୍ରସନ୍ନ କରିବା ପାଇଁ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତି। ଏଥର କାର୍ତ୍ତିକ ମାସ ଗ୍ରହ ଦୃଷ୍ଟିକୋଣରୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ଏହି ମାସରେ ଓଡ଼ିଆ ହିନ୍ଦୁମାନେ ଆମିଷ ଖାଆନ୍ତି ନାହିଁ। ଏହା ଓଡ଼ିଆ ହିନ୍ଦୁମାନଙ୍କର ସପ୍ତମ ମାସ। ଏହା ଓ ଏହାର ପରବର୍ତ୍ତୀ ମାସ ହେମନ୍ତ ଋତୁ।

ପୌରାଣିକ ମତେ ପରମପିତା ବ୍ରହ୍ମା ଦେବର୍ଷି ନାଦଙ୍କୁ କାର୍ତ୍ତିକ ମାସର ମହାତ୍ମ୍ୟ ବୁଝାଇ କହୁଛନ୍ତି – ମାସମାନଙ୍କ ମଧ୍ୟରେ କାର୍ତ୍ତିକ, ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ଏବଂ ତୀର୍ଥମାନଙ୍କ ମଧ୍ୟରେ ନାରାୟଣ ତୀର୍ଥ ବଦରିକାଶ୍ରମ ଶ୍ରେଷ୍ଠ ଅଟେ। ଏ ତିନି କଳିଯୁଗରେ ଅତ୍ୟନ୍ତ ଦୁର୍ଲଭ “ ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍ “। ଅର୍ଥାତ କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ। ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପବିତ୍ର ଦିବସ। ଏହି ପାଞ୍ଚଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ମହାପଞ୍ଚକ ଇତ୍ୟାଦି କୁହାଯାଏ। ଯାହାକୁ ଅତି ଶ୍ରଦ୍ଧାର ସହ ଓଡ଼ିଆ ମାନେ ପାଳନ କରିଥାନ୍ତି।

Leave A Reply

Your email address will not be published.