ନଭେମ୍ବର ୨୧ରୁ ଧାନ କିଣା, ଏଥର ବର୍ଦ୍ଧିତ ଏମ୍ଏସପି ସହ କୁଇଣ୍ଟାଲ ୩୧ଶହ ଟଙ୍କା
ଓଏଲ୍ ବ୍ୟୁରୋ: ନଭେମ୍ବର ୨୧ ତାରିଖରୁ ରାଜ୍ୟରେ ଖରିପ ଧାନ କିଣା ପକ୍ରିୟା ଆରମ୍ଭ ହେବ। ବରଗଡ଼ ଜିଲ୍ଲାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ବର୍ଦ୍ଧିତ ‘ଏମଏସପି’ ଅନୁସାରେ ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ କିଣିବେ ରାଜ୍ୟ ସରକାର। ଧାନ କିଣା ପକ୍ରିୟା ଶେଷ ହେବା ଯାଏ ମଣ୍ଡିରେ ରହିବେ ଅଧିକୃତ ଅଧିକାରୀ। ଧାନ କିଣାକୁ ନେଇ ଗତକାଲି (ସୋମବାର) ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ବର୍ଦ୍ଧିତ ଏମ୍ଏସପି ସହ କ୍ବିଣ୍ଟାଲ ପିଛା ୮୦୦ ଟଙ୍କା ବୋନସରେ ଚାଷୀଙ୍କଠାରୁ ଧାନ କିଣିବେ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଧାନ କିଣାକୁ ନେଇ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ନଭେମ୍ବର ତୃତୀୟ ସପ୍ତାହରୁ ଆରମ୍ଭ ହେବ ଧାନ କିଣା ପକ୍ରିୟା। ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଖରିଫ ଧାନ କିଣା ପ୍ରକ୍ରିୟା। ଚାଷୀଙ୍କ ଠାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହିତ ରାଜ୍ୟ ସରକାରଙ୍କ ତରଫରୁ ଇନପୁଟ ସହାୟତା ୮୦୦ ଟଙ୍କା ମିଶାଇ ଚଳିତବର୍ଷ ଧାନ କିଣା ଦର କ୍ୱିଣ୍ଟାଲ ପ୍ରତି ୩୧ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଧାନ କ୍ରୟ ପ୍ରକ୍ରିୟା ସୁବ୍ୟବସ୍ଥା ପାଇଁ ପକ୍ରିୟାକୁ ଶେଷ ହେବା ଯାଏ ମଣ୍ଡିରେ ରହିବେ ଅଧିକୃତ ଅଧିକାରୀ। ୪ରୁ ୫ ଟି ମଣ୍ଡିକୁ ନେଇ ଜଣେ ଲେଖାଏଁ ସୁପରଭଇଜର ରହିବେ। ମଣ୍ଡିରେ ରହିବ କ୍ୱାଲିଟି ଟେଷ୍ଟିଂ ମେସିନ।
ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମଣ୍ଡିରୁ ରାଇସ ମିଲ ପର୍ଯ୍ୟନ୍ତ ଧାନ ପରିବହନ ବ୍ୟବସ୍ଥା ତଦାରଖ କରିବ ପରିବହନ ବିଭାଗ। ସେପଟେ ପଡୋଶୀ ରାଜ୍ୟରୁ ଧାନ ଯେମିତି ଓଡ଼ିଶାକୁ ପ୍ରବେଶ ନକରେ ତା ପ୍ରତି ପେଟ୍ରୋଲିଂ ଟିମ ମୁତୟନ ସହ ସିସିଟିଭି ବ୍ୟବସ୍ଥା କରାଯିବ। ଚାଷୀଙ୍କ ଧାନ ବିକ୍ରି ଟୋକନ ଲାପସ ନହେବା ପାଇଁ ବ୍ୟବସ୍ଥା କରାଯାଇଛି। ତ୍ୱରିତ ନିଷ୍ପତ୍ତି ନେବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀଙ୍କ ସୁରକ୍ଷା, କଟଣି ଛଟଣି ମୁକ୍ତ ଧାନ କିଣା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେବେ ବୋଲି ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି।