Odisha Link
Bridging the Missing Links in Odisha

୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ କଲା ଦାବି, ଆଇଓଏ ନେଲା ବଡ଼ ନିଷ୍ପତ୍ତି

୨୦୩୬ ମସିହାରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ କରିବାକୁ ଆଇଓଏ ଆନୁଷ୍ଠାନିକ ଭାବେ ଭାରତର ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।

ଓଏଲ୍‌ ବ୍ୟୁରୋ: ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ ପାଇଁ ଆଉ ପାଦେ ଆଗେଇଲା ଭାରତ। ୨୦୩୬ ଅଲିମ୍ପିକ୍ସ ଗେମ୍ସ ଆୟୋଜନ ପାଇଁ ନିଜ ଦାବି ଉପସ୍ଥାପନା କରିଛି ଭାରତ। ୨୦୩୬ ମସିହାରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ କରିବାକୁ ଆଇଓଏ ଆନୁଷ୍ଠାନିକ ଭାବେ ଭାରତର ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ଅକ୍ଟୋବର ୧ରେ ଭାରତୀୟ ଅଲିମ୍ପିକ୍ ସଂଘ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ନିକଟକୁ ଏନେଇ ଏକ ଚିଠି ପଠାଇଥିବା ରିପୋର୍ଟ ପ୍ରକାଶ ପାଇଛି।

କେନ୍ଦ୍ରୀ କ୍ରୀଡ଼ା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତ ସରକାର ଅକ୍ଟୋବର ୧ ତାରିଖରେ ଏକ ଚିଠି ମାଧ୍ୟମରେ ୨୦୩୬ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଭାରତରେ ଆୟୋଜନ କରିବାକୁ ଆଇଓସି ଆଗରେ ଦାବି କରିଛନ୍ତି। ଯଦି ଅଲିମ୍ପିକ୍ସ ଗେମ୍ସ ଆୟୋଜନ ପାଇଁ ଭାରତକୁ ଅନୁମତି ମିଳିବ ତେବେ ଭାରତ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଆୟୋଜନ କରିବ। ତାପୂର୍ବରୁ ଭାରତ ୨ ଥର ଏସିଆନ ଗେମ୍ସ ଓ ଥରେ କମନଓ୍ବେଲଥ୍‌ ଗେମ୍ସର ସଫଳ ଆୟୋଜନ କରିଛି। ଯଦି ଅଲିମ୍ପିକ୍ସ ଆୟୋଜକ ମାନ୍ୟତା ଭାରତ ପାଏ ତେବେ ଗୁଜରାଟର ଅହମଦାବାଦରେ ସମସ୍ତ ଖେଳ ଖେଳାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୩୬ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଭାରତରେ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସ୍ୱାଧୀନତା ଦିବସ ପାଳନ ଅବସରରେ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେଇଥିବା ଆଥଲେଟମାନଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ସେମାନଙ୍କୁ ଭାରତରେ ଅଲିମ୍ପିକ୍ସ ୨୦୩୬ ଆୟୋଜନ ପ୍ରସ୍ତୁତି ପାଇଁ ନିଜ ନିଜର ଅଭିଜ୍ଞତା କହିବାକୁ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି।

ସବୁଠୁ ବଡ଼କଥା ହେଲା ୨୦୩୨ ଅଲିମ୍ପିକ୍ସ ଆୟୋଜକ ଦେଶର ଚୟନ ସରିଛି। ୨୦୩୨ ଅଲିମ୍ପିକ୍ସ ଅଷ୍ଟ୍ରେଲିଆର ବ୍ରିସବେନ ସହରରେ ଅନୁଷ୍ଠିତ ହେବ। ସେହିପରି ୨୦୨୮ ଅଲିମ୍ପିକ୍ସ ଲସ୍‌ ଆଞ୍ଜେଲସ୍‌ରେ ଅନୁଷ୍ଠିତ ହେବ। ଭାରତ ପୂର୍ବରୁ ୩ଟି ବଡ଼ ପ୍ରତିଯୋଗିତାର ସଫଳ ଆୟୋଜନ କରି ସାରିଛି। ୧୯୫୧ ମସିହାରେ ନୂଆଦିଲ୍ଲୀରେ ଏସିଆନ୍ସ ଗେମ୍ସର ଆୟୋଜନ କରିଥିଲା ଭାରତ। ପରେ ୧୯୮୨ ମସିହା ଏସିଆନ୍‌ ଗେମ୍ସବି ଭାରତ ଆୟୋଜନ କରିଥିଲା। ଶେଷଥର ପାଇଁ ୨୦୧୦ ମସିହାରେ ବିଶ୍ବସ୍ତରୀୟ କମନଓ୍ବେଲଥ୍‌ ଗେମ୍ସର ଆୟୋଜନ କରିଥିଲା ଭାରତ।

Leave A Reply

Your email address will not be published.