Odisha Link
Bridging the Missing Links in Odisha

ମେଘନାଦ ପାଚେରି ‘ଫାଟ’ ରାଜନୀତି

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିରେ ପୁଣିଥରେ ଶ୍ରୀମନ୍ଦିର। ଶ୍ରୀମନ୍ଦିରର ମେଘନାଦ ପାଚେରି ଫାଟକୁ ନେଇ ରାଜ୍ୟ ରାଜନୀତି ସରଗରମ। ମେଘନାଦି ପାଚେରି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ଶାସକ ଭାରତୀୟ ଜନତା ପାର୍ଟି ଓ ବିରୋଧୀ ଦଳ ବିଜୁ ଜନତା ଦଳ। ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ବି ଏହାର ସୁରକ୍ଷା ନହେଲେ ଭୁଶୁଡ଼ି ପଡ଼ିବା ଆଶଙ୍କା କରି ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସେପଟେ ମେଘନାଦ ପାଚେରିର ଦୁଃସ୍ଥିତି ପାଇଁ ବିଜେପି ସିଧା ନବୀନ ଓ ପାଣ୍ଡିଆନଙ୍କୁ ଦାୟୀ କରିଥିବା ବେଳେ, ବିଜେଡି ରଖିଛି ପାଲଟା ଜବାବ।ଯାହାପାଇଁ ରାଜ୍ୟ ରାଜନୀତି ଉଷ୍ମ ହୋଇ ଉଠିଛି।

କେବଳ ସିଂହଦ୍ୱାର ପଟ ମେଘନାଦ ପାଚେରି ନୁହେଁ, ପଶ୍ଚିମ ଓ ଦକ୍ଷିଣ ଦ୍ୱାର କଡ଼ କାନ୍ଥରୁ ବି ଝରୁଛି ପାଣି। ଯାହା ଦେଖି ଭକ୍ତ ଓ ସେବକ କ୍ଷୁବ୍ଧ। ପାଣି ନିଷ୍କାସନ ପାଇଁ ମଗରମୁଣ୍ଡ ଅଛି, ହେଲେ ସେଠୁ ନୁହେଁ ବରଂ ତା ମୁଣ୍ଡ ଉପରୁ ଗଳ ଗଳ ପାଣି ଝରୁଛି। ଯାହାକୁ ନେଇ ଭକ୍ତରୁ ସେବାୟତ, ସମସ୍ତେ ବର୍ଷିଲେଣି- ASI ଓ ପ୍ରଶାସନକୁ ଘେରିଲେଣି। ତେଣେ ଆଇନମନ୍ତ୍ରୀ କହିଛନ୍ତି ପାଚେରିର ସ୍ଥାୟୀ ମରାମତି ପାଇଁ ASI ପ୍ରକ୍ରିୟା ଆରମ୍ଭ କରିଛି।

ବିଜେପିର ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି, କିଛି ଭୁଲ ଅଛି ଯାହାର କ୍ଷମା ନାହିଁ। ବିଗତ ବିଜେଡି ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏବଂ ତାଙ୍କ ସହଯୋଗୀ ଭି.କେ.ପାଣ୍ଡିଆନ ବାବୁ ଏମିତି କିଛି ଭୁଲ କରିକି ଯାଇଛନ୍ତି ଯାହାର ମୂଲ୍ୟ ଏବେ ଓଡ଼ିିଶାବାସୀଙ୍କୁ ଦେବାକୁ ପଡୁଛି। ନିଜର ରାଜନୈତିକ ଫାଇଦା ପାଇଁ ସେମାନେ କିଭଳି ଏକ ପୁରାତନ ଐତିହ୍ୟକୁ ବିପଦକୁ ଠେଲିଦେଇଥିଲେ ତାହା ଅତ୍ୟନ୍ତ ଦୁଃଖଦାୟକ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ହେଉଛି ଆମର ଗର୍ବ ଏବଂ ଅସ୍ମିତାର ପରିଚୟ। ଏବେ ମେଘନାଦ ପାଚେରିରେ ଯେଉଁ ଫାଟ ବାହାରିଛି ଏବଂ ଫାଟ ଗୁଡିକ ମଧ୍ୟ ମେଲିବା ଆରମ୍ଭ କରୁଛି ତାହା କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ପାଇଁ ଚିନ୍ତାଜନକ କଥା। ଏଥିପାଇଁ ପୂର୍ବ ବିଜେଡି ସରକାର ହିଁ ଦାୟୀ ବୋଲି ସେ କହିଛନ୍ତି।

ମେଘନାଦ ପାଚେରି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ପ୍ରତ୍ନତତ୍ୱ ବିଭାଗ ଏବଂ ରାଜ୍ୟ ସରକାର ଏହାର ମରାମତି କାମ ଆରମ୍ଭ କରିଦେଇଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି ଏହା ଘଟିଲା କାହିଁକି? ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ଯେଭଳି ବଡ ବଡ ମେଶିନ ଲଗାଇ ଶ୍ରୀମନ୍ଦିର ଚାରିପଟେ ଓ ଅତି ନିକଟରେ ବଡ ବଡ ଗାତ କରାଗଲା ଏହା ମେଘନାଦ ପାଚିରି ଉପରେ ପ୍ରଭାବ ପକାଇଲା। ନବୀନ ବାବୁ ଏବଂ ପାଣ୍ଡିଆନ ବାବୁ ଏନେଇ ମୁହଁ ଖୋଲି ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଅନୀଲ ବିଶ୍ବାଳ କହିଛନ୍ତି।

ଅପରପକ୍ଷେ ବିଜୁ ଜନତା ଦଳ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଟାର୍ଗେଟ କରିଛି। ମେଘନାଦ ପାଚେରିରୁ ପାଣି ଗଳିବା ଅତ୍ୟନ୍ତ ଉଦବେଗଜନକ। ହେଲେ ବିଜେପି ନୋତଙ୍କ ବକ୍ତବ୍ୟ ଆମକୁ ବ୍ୟଥିତ ଓ ବିସ୍ମିତ କରୁଛି ବୋଲି ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି। ସେ କହିଛନ୍ତି ନୂଆ ସରକାର ଜୁନ ମାସରୁ ଦାୟିତ୍ୱ ନେଲାଣି। ଚାରି ମାସ ଗଲାଣି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ କ୍ୟାବିନେଟ ବୈଠକ ପୁରୀରେ ହେଲା। ବାର୍ତ୍ତା ଦେଲେ କି ଜଗନ୍ନାଥଙ୍କ ପାଇଁ ସମର୍ପିତ। ହେଲେ ଚାରି ମାସ ଭିତରେ ସରକାରଙ୍କ ନଜରକୁ ଆସିଲା ନାହିଁ, କାହିଁକି ପ୍ରତିକାର ବ୍ୟବସ୍ଥା କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି।

ପ୍ରତ୍ନତତ୍ୱ ବିଭାଗ ଅବହେଳା କରିଛି କି ? ଏହାର ସମାଧାନ ପାଇଁ ରାଜ୍ୟ ସରକାର କଣ ନିର୍ଦ୍ଦେଶ ଦେଇଛନ୍ତି। ପରିକ୍ରମା ପ୍ରକଳ୍ପ ପାଇଁ କେମିତି ପାଣି ଗଳିଲା। କାରଣ ଜଣା ନାହିଁ ହେଲେ ସିଦ୍ଧାନ୍ତରେ କେମିତି ପହଞ୍ଚିଲେ ? ତାଙ୍କ ବୈଷୟିକ ଜ୍ଞାନ କଣ ଅଛି ? ଖାଲି ପର୍ବତକୁ ଢେଲା ମାରିବା କଥା ବୋଲି ବିଜେଡ଼ି କହିଛି। ଏହାର ବିଚାର ରାଜ୍ୟବାସୀ କରିବେ। ପରିକ୍ରମା ପ୍ରକଳ୍ପ ପାଇଁ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ। ଭକ୍ତଙ୍କ ସୁବିଧା ପାଇଁ ଏପରି ନିଷ୍ପତ୍ତି ନେବାରେ ସେ ସାହସ କରିଥିଲେ। ପରୋକ୍ଷରେ ପରିକ୍ରମା ପ୍ରକଳ୍ପ ବନ୍ଦ କରିବାକୁ ବିଜେପି ଷଡଯନ୍ତ୍ର କରିଥିଲା ବୋଲି ଶ୍ରୀ ବେହେରା କହିଛନ୍ତି।

Leave A Reply

Your email address will not be published.