ରାଜ୍ୟରେ ହାତୀଙ୍କ ପାଇଁ ଜାଗା କମ୍
ଡିସେମ୍ବର ୨୫ରୁ ଚିଲିକା ନଳବଣରେ ପକ୍ଷୀ ଗଣନା ଆରମ୍ଭ
ଓଏଲ୍ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିଥିବା ବେଳେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ। ସେ କହିଛନ୍ତି, ଓଡିଶାରେ ହାତୀଙ୍କ ପାଇଁ ଜାଗାର ଅଭାବ ରହିଛି । ସେଥିପାଇଁ ଖାଦ୍ୟ ଅନ୍ବେଷଣରେ ହାତୀମାନେ ଗାଁ ମୁହାଁ ହେଉଛନ୍ତି । ଏଥିସହିତ ରାଜ୍ୟରେ ଯେତିକି ହାତୀ ରହିବା କଥା ତାହାଠାରୁ ଢେର୍ ଅଧିକ ରହିଛନ୍ତି । ଓଡିଶା ଜଙ୍ଗଲରେ ସର୍ବାଧିକ ହାତୀ ରହିବା କ୍ଷମତା ୧୭୦୦ ଥିବା ବେଳେ ଏବେ ରାଜ୍ୟରେ ମୋଟ ହାତୀ ସଂଖ୍ୟା ୨୧୦୦ ରହିଛି । ଯାହାକି କ୍ଷମତା ଠାରୁ ୪୦୦ ଅଧିକ । ସେ୍ଥିପାଇଁ ହାତୀମାନେ ଗାଁ ମୁହାଁ ହେଉଛନ୍ତି । ମଣିଷ- ହାତୀ ଲଢେଇ ବେଶୀ ବଢୁଛି । ଏଥିସହିତ ଖାଦ୍ୟ ଅଭାବରୁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବି କମୁଛି । ଫଳରେ ହାତୀମାନେ ଅଧିକ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଥିସହିତ ବିଦ୍ୟୁତ ଆଘାତ ଓ ଟ୍ରେନ୍ ଦୁର୍ଘଟଣାରେ ମଧ୍ୟ ଅନେକ ହାତୀଙ୍କ ଜୀବନ ଯାଉଛି ।
ତେବେ ସେ କହିଛନ୍ତି, ଏବେ ରାଜ୍ୟକୁ ଝାଡ଼ଖଣ୍ଡି ଓ ଛତିଶଗଡି ହାତୀ ଆସୁଛନ୍ତି । ରାଜ୍ୟରେ ହାତୀଙ୍କ ବାସ୍ତବ ସଂଖ୍ୟା ଜାଣିବାକୁ ନଭେମ୍ବର ୧୪ ଓ ୧୫ ଦୁଇ ଦିନ ହାତୀ ଗଣନା କରାଯିବ । ଏବେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ପୂର୍ଣ୍ଣମୀ ରାତିରେ ସେମାନଙ୍କର ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି ସେମାନଙ୍କ ଗଣନା କରାଯିବ ।
ଏହାବ୍ୟତୀତ ଶୀତ ଦିନ ଆସିବାରୁ ଚିଲିକା ନଳବଣ ମୁହାଁ ହେଲେଣି ବିଦେଶୀ ପକ୍ଷୀ । ଡିସେମ୍ବର ୨୫ରୁ ଚିଲିକା ନଳବଣରେ ପକ୍ଷୀ ଗଣନା ଆରମ୍ଭ ହେବ ବୋଲି କହିଛନ୍ତି ପିସିସିଏଫ।