ହାତୀ ସୁରକ୍ଷା ପାଇଁ ତତ୍ପରତା, ଜଙ୍ଗଲ ସୃଷ୍ଟି କରିବେ ସରକାର
ଓଏଲ୍ ବ୍ୟୁରୋ: ଓଡ଼ିଶାରେ ହାତୀଙ୍କ ପାଇଁ ଜାଗାର ଅଭାବ ରହିଛି। ସେଥିପାଇଁ ଖାଦ୍ୟ ଅନ୍ବେଷଣରେ ହାତୀମାନେ ଗାଁ ମୁହାଁ ହେଉଛନ୍ତି। ଗତକାଲି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ଅଧିକ ହାତୀ, ଜଙ୍ଗଲ କମ୍ ନେଇ କହିବା ପରେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଏବେ କେତେ ଜଙ୍ଗଲ ଅଛି, ଆଉ କେତେ ଆବଶ୍ୟକ ଅନୁଧ୍ୟାନ ଚାଲିଛି।
ହେନ୍ତାଳ ବଣଠୁ ନେଇ ଗ୍ରାମ୍ୟ ଜଙ୍ଗଲ ବଢ଼ାଇବାକୁ ପଦକ୍ଷେପ ନିଆଯିବ। ସମସ୍ତ ବିଶେଷଜ୍ଞ ସହ ଆଲୋଚନା କରି ଅଧିକ ପଦକ୍ଷେପ ନିଆଯିବ। ସାଧାରଣ ଲୋକଙ୍କୁ ଜଙ୍ଗଲ ସୃଷ୍ଟି ପାଇଁ ପ୍ରୋତ୍ସାହନ ରାଶି ଦେବାକୁ ଯୋଜନା ହୋଇଛି। କେଉଁ କାରଣରୁ ହାତୀ ମରୁଛନ୍ତି ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟରେ ଦିନକୁ ଦିନ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିଥିବା ବେଳେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ। ସେ କହିଛନ୍ତି, ଓଡ଼ିଶାରେ ହାତୀଙ୍କ ପାଇଁ ଜାଗାର ଅଭାବ ରହିଛି। ସେଥିପାଇଁ ଖାଦ୍ୟ ଅନ୍ବେଷଣରେ ହାତୀମାନେ ଗାଁ ମୁହାଁ ହେଉଛନ୍ତି। ଏଥିସହିତ ରାଜ୍ୟରେ ଯେତିକି ହାତୀ ରହିବା କଥା ତାହାଠାରୁ ଢେର୍ ଅଧିକ ରହିଛନ୍ତି।
ଓଡ଼ିଶା ଜଙ୍ଗଲରେ ସର୍ବାଧିକ ହାତୀ ରହିବା କ୍ଷମତା ୧୭୦୦ ଥିବା ବେଳେ ଏବେ ରାଜ୍ୟରେ ମୋଟ ହାତୀ ସଂଖ୍ୟା ୨୧୦୦ ରହିଛି। ଯାହାକି କ୍ଷମତା ଠାରୁ ୪୦୦ ଅଧିକ। ସେଥିପାଇଁ ହାତୀମାନେ ଗାଁ ମୁହାଁ ହେଉଛନ୍ତି। ମଣିଷ ହାତୀ ଲଢେଇ ବେଶୀ ବଢୁଛି। ଏଥିସହିତ ଖାଦ୍ୟ ଅଭାବରୁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବି କମୁଛି। ଫଳରେ ହାତୀମାନେ ଅଧିକ ମୃତ୍ୟୁ ମୁଖରେ ପଡୁଛନ୍ତି। ଏଥିସହିତ ବିଦ୍ୟୁତ ଆଘାତ ଓ ଟ୍ରେନ୍ ଦୁର୍ଘଟଣାରେ ମଧ୍ୟ ଅନେକ ହାତୀଙ୍କ ଜୀବନ ଯାଉଛି।
ତେବେ ସେ କହିଛନ୍ତି, ଏବେ ରାଜ୍ୟକୁ ଝାଡ଼ଖଣ୍ଡି ଓ ଛତିଶଗଡି ହାତୀ ଆସୁଛନ୍ତି। ରାଜ୍ୟରେ ହାତୀଙ୍କ ବାସ୍ତବ ସଂଖ୍ୟା ଜାଣିବାକୁ ନଭେମ୍ବର ୧୪ ଓ ୧୫ ଦୁଇ ଦିନ ହାତୀ ଗଣନା କରାଯିବ। ଏବେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ପୂର୍ଣ୍ଣମୀ ରାତିରେ ସେମାନଙ୍କର ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି ସେମାନଙ୍କ ଗଣନା କରାଯିବ।