ଆମ୍ବଟାକୁଆ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆର୍ଡିସି ସ୍ତରୀୟ ତଦନ୍ତ ଆରମ୍ଭ
ଦାରିଙ୍ଗବାଡିରେ ଆମ୍ବ କୋଇଲି ଜାଉ ଖାଇ ମୃତ୍ୟୁ ଘଟଣାରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସ।
ଓଏଲ୍ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଥିବା କନ୍ଧମାଳ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ପ୍ରସଙ୍ଗ। ଏହି ମୃତ୍ୟୁ ପ୍ରସଙ୍ଗର ଆରଡିସି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦକ୍ଷିଣାଞ୍ଚଳ ଆରଡିସି ରୂପାରୋଶନ ସାହୁ ତଦନ୍ତ ଆରମ୍ଭ କରିଛନ୍ତି। ଆରଡିସିଙ୍କ ସହ କନ୍ଧମାଳ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଛନ୍ତି।
ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ସହ ଅନ୍ୟ ୬ ଜଣ ଅସୁସ୍ଥ ହୋଇଛନ୍ତି। ୬ ଅସୁସ୍ଥଙ୍କ ମଧ୍ୟରୁ ୨ ଜଣ କଟକ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏସସିବି ଯାଇ ଅସୁସ୍ଥଙ୍କୁ ଭେଟିଥିଲେ। ତାଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଅନ୍ୟପଟେ ଦାରିଙ୍ଗବାଡିରେ ଆମ୍ବ କୋଇଲି ଜାଉ ଖାଇ ମୃତ୍ୟୁ ଘଟଣାରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଖାଦ୍ୟ ସୁରକ୍ଷା ଯୋଜନାକୁ କଡାକଡି ପାଳନ କରିବାକୁ ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି।
ଅପରପକ୍ଷେ ଆମ୍ବଟାକୁଆ ମୃତ୍ୟୁ ଘଟଣାର କାରଣ କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି, ଏସ୍ସିବିରେ ଚିକିତ୍ସିତ ରୋଗୀଙ୍କୁ ହେପାଟାଇଟିସ୍ ହୋଇଛି। ଫଙ୍ଗାଲ ସଂକ୍ରମଣ ଯୋଗୁଁ ହେପାଟାଇଟିସ୍ ହୋଇଥାଏ।ଯେଉଁମାନେ ପ୍ରଥମ ଦିନ ଖାଇଲେ କିଛି ଅସୁବିଧା ନଥିଲା। ୨ରୁ ୩ ଦିନ ରଖିବା ଫଳରେ ସେଥିରେ ଫଙ୍ଗାଲ ଗ୍ରୋଥ୍ ହେଲା। ଫଙ୍ଗାଲ ଗ୍ରୋଥ ସହ ଟକ୍ସିନ ହେଲା, ଫଳରେ ଶରୀର ବିଷାକ୍ତ ହୋଇଗଲା।