ପଦ୍ମ ଧରିଲେ ବରୀର ପୂର୍ବତନ ବିଧାୟିକା
ଅକ୍ଟୋବର ୨୯ ତାରିଖରେ ସୁନନ୍ଦା ଦାସ ବିଜେଡିରୁ ଇସ୍ତଫା ଦେଇଥିଲେ
ଓଏଲ୍ ବ୍ୟୁରୋ: ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ନିଜ ସମର୍ଥକଙ୍କ ସହ ସୁନନ୍ଦା ଦାସ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି।
ସୂଚନା ଅନୁସାରେ, ୨୦୧୯ରେ ବିଜେଡି ଟିକେଟରେ ବରୀରୁ ବିଧାୟିକା ହୋଇଥିଲେ ସୁନନ୍ଦା ଦାସ। ତେବେ ଏହା ପରେ ଅକ୍ଟୋବର ୨୯ ତାରିଖରେ ସୁନନ୍ଦା ଦାସ ବିଜେଡିରୁ ଇସ୍ତଫା ଦେଇଥିଲେ। ଦଳୀୟ କାର୍ଯ୍ୟକ୍ରମରେ କୋଣଠେସା କରାଯିବା ସହ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ବାଧ୍ୟ ହୋଇ ବିଜେଡି ଛାଡିଥିବା କହିଥିଲେ ସୁନନ୍ଦା ଦାସ।।
ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ। ୫ ମାସ ହେଲା ଦଳରେ ଅଣଦେଖା ହେଉଥିବା ଅଭିଯୋଗ କରି ସେ ଦଳ ଛାଡିଥିଲେ। ଏହା ପରେ ସେ ବିଜେଡି ପରାଜୟକୁ ନେଇ କଡା ପ୍ରତିକ୍ରିୟା ରଖିଥିଲେ।
ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ କହିଥିଲେ, ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରି ଭୁସିବା ଲୋକ ନୁହେଁ ବୋଲି ବବି କହୁଥିଲେ। ମୁଁ ହିଁ ଟିକେଟ ଦେବା ଲୋକେ ଓ ମୁଁ ହିଁ ଟିକେଟ କାଟିବା ଲୋକ ବୋଲି ବବି କହିଥିଲେ। ତେଣୁ ମୋର ତାଙ୍କ ଉପରେ ଟିକେଟ ମିଳିବା ନେଇ ପୂର୍ଣ୍ଣ ଭରସା ଥିଲା। ତେବେ ପ୍ରତିଶ୍ରୁତି ଦେଇ ଟିକେଟ କାଟି ଦେଇଥିଲେ।
ସୁନନ୍ଦା ଆହୁରି ମଧ୍ୟ କହିଥିଲେ, ଟିକେଟ କଟିବା ପରେ ପାଣ୍ଡିଆନ ଡାକିଥିଲେ, ନବୀନ ନିବାସ ଯାଇଥିଲି। ମୁଁ ଯାଜପୁର ବ୍ୟାପାରରେ ମୁଣ୍ଡ ପୂରାଇଲିନି ବୋଲି ଟିକେଟ କଟିଲା। ତେବେ ମନମୁଖୀ ଶାସନ ଓ ମନଇଛା ଟିକେଟ କାଟିବାରୁ ଦଳ ହାରିଲା। ନେତାଙ୍କୁ ଅଣଦେଖାରୁ ବିଜେଡି ହାରିଲା।
ନବୀନ ବାବୁ ନିଜେ ଟିକେଟ ବାଣ୍ଟିଥିଲେ ବିଜେଡି ପୁଣି ସରକାର କରିଥାନ୍ତା। ମାତ୍ର ଟିକେଟ ବାଣ୍ଟିବା ବେଳେ ସେମାନେ ସେପରି କଲେ ନାହିଁ। ପ୍ରଭୁ ଜଗନ୍ନାଥ ବିଚାର କରିବେ ବୋଲି ସେତେବେଳେ କହିଥିଲି। ପ୍ରଭୁ ଜଗନ୍ନାଥ ଠିକ୍ ବିଚାର କରିଛନ୍ତି, ମୁଁ ମଧ୍ୟ ଦେଖାକରି ଆସିଛି ବୋଲି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ କହିଛନ୍ତି।