‘ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା’ରେ ଲାଭ ପାଇବେ ୨୨ଲକ୍ଷ ଛାତ୍ରଛାତ୍ରୀ
କେନ୍ଦ୍ର କ୍ୟାବିନେଟର ଅନୁମତି
ଓଏଲ୍ ବ୍ୟୁରୋ: ଏବେ ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିବ ନାହିଁ । ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ‘ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା’ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଗତକାଲି କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାକୁ ଅନୁମୋଦନ କରିଛି । ଏହା ମାଧ୍ୟମରେ ବାର୍ଷିକ ଦେଶର ପାଖାପାଖି ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଲାଭ ମିଳିବ । ଯଦ୍ଵାରା ଉଚ୍ଚ ଶିକ୍ଷା ପାଇଁ ଅର୍ଥର ସମସ୍ୟା ରହିବ ନାହିଁ ।
ଜାତୀୟ ଶିକ୍ଷା ନୀତି, ୨୦୨୦ ଅଧୀନରେ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ଗ୍ରହଣ ଅନ୍ୟତମ ପ୍ରମୁଖ ପଦକ୍ଷେପ। ଉଭୟ ସରକାରୀ ଏବଂ ବେସରକାରୀ ଉଚ୍ଚଶିକ୍ଷାନୁଷ୍ଠାନରେ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଉପଲବ୍ଧ କରାଇବା ପାଇଁ ଏନଇପିରେ ସୁପାରିସ କରାଯାଇଥିଲା। ଏହାକୁ ଗ୍ରହଣ କରି ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଅଣାଯାଇଛି । ଏହାଦ୍ୱାରା ଗୁଣାତ୍ମକ ଉଚ୍ଚଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇଥିବା ଯେକୌଣସି ଛାତ୍ରଛାତ୍ରୀ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନରୁ ସମ୍ପୂର୍ଣ୍ଣ ପରିମାଣର ଟ୍ୟୁସନ୍ ଫି’ ଏବଂ ପାଠ୍ୟକ୍ରମ ସମ୍ବନ୍ଧୀୟ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବା ପାଇଁ ବନ୍ଧକ ମୁକ୍ତ, ଗ୍ୟାରେଣ୍ଟର ମୁକ୍ତ ଋଣ ପାଇବାକୁ ଯୋଗ୍ୟ ହେବେ।
ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଅନ୍ତର୍ଗତ ବାର୍ଷିକ ୧୦୦,୦୦୦ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଧ୍ୟୟନ ପାଇଁ ଶିକ୍ଷା ଋଣ ଯୋଗାଇ ଦିଆଯିବ। ବାର୍ଷିକ ଆୟ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ପରିବାରର ପିଲାମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ତିନି ପ୍ରତିଶତ ସୁଧ ସବସିଡି ପାଇବେ। ଏଥିସହ, ପରିବାରର ଆୟ ୪.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ସୁଧ ଛାଡ୍ ଉପଲବ୍ଧ ହେବ। ଆର୍ଥିକ ସ୍ଥିତି ଯୋଗୁ କୌଣସି ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଯେପରି ବାଧା ସୃଷ୍ଟି ନ ହେବ ସେଥିପ୍ରତି ଦୃଷ୍ଟି ରଖି ସରକାର ଏହି ଯୋଜନା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ପିଏମ୍ ବିଦ୍ୟାଲକ୍ଷ୍ମୀ ପୋର୍ଟାଲ ମାଧ୍ୟମରେ ଋଣ ଆବେଦନ, ଅନୁମୋଦନ ଏବଂ ବିତରଣ ପରିଚାଳନା କରାଯିବ। ଏହି ତାଲିକାରେ ରାଷ୍ଟ୍ରୀୟ ଅନୁଷ୍ଠାନ ରାଙ୍କିଙ୍ଗ୍ ଫ୍ରେମୱାର୍କ (ଏନଆଇଆରଏଫ) ର ବିଭିନ୍ନ ବର୍ଗରେ ସ୍ଥାନିତ ଶ୍ରେଷ୍ଠ ୧୦୦ ଅନୁଷ୍ଠାନ, ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଶ୍ରେଷ୍ଠ ୨୦୦ଅନୁଷ୍ଠାନ ଅନ୍ତର୍ଭୁକ୍ତ ହେବ।