Odisha Link
Bridging the Missing Links in Odisha

ଧାନ କିଣାର ୪୮ ଘଣ୍ଟା ଭିତରେ ଆକାଉଣ୍ଟକୁ ଆସିବ ଟଙ୍କା

ଚଳିତବର୍ଷ ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ

ଓଏଲ୍‌ ବ୍ୟୁରୋ: ନଭେମ୍ବର ତୃତୀୟ ସପ୍ତାହରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା। ନିର୍ବାଚନ ବେଳେ ଚାଷୀଙ୍କୁ ଦେଇଥିବା ଏମଏସପି ଗ୍ୟାରେଣ୍ଟି ପୂରଣ କରିବାକୁ ଯାଉଛନ୍ତି ସରକାର । ଧାନ କିଣାର ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ଏମଏସପି ଓ ଇନପୁଟ୍ ସବସିଡି ଅର୍ଥାତ୍ ୩୧ ଶହ ଟଙ୍କା । ଏଥିପାଇଁ ବରଗଡ଼ ଜିଲ୍ଲା ସୋହେଲାରେ ବିରାଟ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି ମୋହନ ସରକାର। ପ୍ରାୟ ଲକ୍ଷେ ଚାଷୀଙ୍କୁ ଏକାଠି କରି ଇନପୁଟ ସବସିଡି ବାଣ୍ଟିବେ ସରକାର। ଏହି କାର୍ଯ୍ୟକ୍ରମରେ ନିଜେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀ ସାମିଲ୍ ହେବେ।

ସୁଭଦ୍ରା ଯୋଜନା ଭଳି ପ୍ରଥମେ ଆକାଉଣ୍ଟକୁ ଯିବ ଏମଏସପି ୨୩ ଶହ ଟଙ୍କା। ତାର ଠିକ୍ ୫ ମିନିଟ୍ ପରେ ଅତିରିକ୍ତ ୮୦୦ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଛଡ଼ାଯିବ। ଖାଲି ପଶ୍ଚିମ ଓଡ଼ିଶା ନୁହେଁ, ପ୍ରତି ଜିଲ୍ଲାରେ ଚାଷୀ ସମାବେଶ କରିବେ ସରକାର। ସେହିପରି ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ସମାବେଶରେ ଯୋଗ ଦେବେ । ଏଥର ଧାନ କିଣାରେ ସ୍ବଚ୍ଛତା ସହିତ ଦଲାଲଙ୍କ ଉପରେ ସରକାରଙ୍କ ନଜର ରହିବ ବୋଲି ଜାଣିବାକୁ ମିଳିଛି।

ସୂଚନାଯୋଗ୍ୟ, ଆଉ କିଛି ଦିନ ପରେ ଖୋଲିବାକୁ ଯାଉଛି ମଣ୍ଡି । ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଉଛି। ମଣ୍ଡି ଜଗିବାକୁ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି। ଚଳିତବର୍ଷ ଖରିଫରେ ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.