ଗ୍ରାହକଙ୍କ ପାଇଁ ଖୁସି ଖବର: ଧନତେରସ୍ ପରେ କମିଲା ସୁନା ଦର
ଓଏଲ୍ ବ୍ୟୁରୋ: ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର। ଧନତେରସ୍ ପରେ କମିଲା ସୁନା ଦର। ବଢ଼ିଚାଲିଥିବା ସୁନା ଦରରେ ହ୍ରାସ ଘଟିଛି। ଗୋଟିଏ ଦିନରେ ୧୦ ଗ୍ରାମ ପିଛା ୧୬୫୦ ହ୍ରାସ। ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୭୨,୦୦୦ ରହିଛି। ଧନତେରସ ପର୍ବ ପୂର୍ବରୁ ସୁନା ଦର ୭୩,୮୦୦ ଟଙ୍କା ଥିଲା। ହେଲେ ଆଜି ସୁନାଦରରେ ହ୍ରାସ ପାଇବା ପରେ ଗ୍ରାହକଙ୍କ ମଧ୍ଯରେ ଆଶ୍ଵସ୍ତି ଆଣିଛି।
ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଧନତେରସ ସମୟରେ ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୬,୨୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୧ ହଜାର ୯୩୦ ଟଙ୍କା ରହିଥିଲା। ସୁନାର ଏହି ଦର ସର୍ବକାଳୀନ ରେକର୍ଡ କରିଥିଲା।
କୌତୂହଳର ବିଷୟ ହେଉଛି ଯେ, ସୁନା ଦର ଏତେ ବଢ଼ିଥିଲେ ମଧ୍ୟ ଧନତେରସ୍ରେ ସାରା ରାଜ୍ୟରେ ଶୋ’ରୁମ୍, ଜୁଏଲାରୀ ଏବଂ ସୁନା ଅଳଙ୍କାର ଦୋକାନଗୁଡିକରେ ଗ୍ରାହକଙ୍କ ଭିଡ ଜମିଥିଲା। ଧନତେରସ୍ରେ ରାଜ୍ୟରେ ପ୍ରାୟ ୧୯୦ କୋଟିରୁ ଅଧିକ ଟଙ୍କାର ସୁନା, ରୂପା ଏବଂ ହୀରା ଆଦି ଗହଣା ବିକ୍ରି ହୋଇଥିବା ଜଣାପଡିଛି।