Odisha Link
Bridging the Missing Links in Odisha

ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ହାରିସ୍

ଓଏଲ୍‌ ବ୍ୟୁରୋ: ଆମେରିକା ଇତିହାସରେ ସବୁଠାରୁୁ ବଡ଼ ରାଜନୈତିକ ପ୍ରତ୍ୟାବର୍ତ୍ତନ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତିି ନିର୍ବାଚନରେ ରିପବ୍ଲିକାନ୍‌ ଦଳ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ବିପୁଳ ବିଜୟ ହାସଲ କରିଛନ୍ତି। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଟ୍ରମ୍ପ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ଯିଏ କି ୪ ବର୍ଷର ବ୍ୟବଧାନ ପରେ ଦମଦାର ବିଜୟ ସହିତ ପୁନଃନିର୍ବାଚିତ ହୋଇଛନ୍ତି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟକୁ ସ୍ବୀକାର କରିଛନ୍ତି କମଳା ହାରିସ୍। ହାୱାର୍ଡ ବିଶ୍ବବିଦ୍ୟାଳୟରେ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇ, ପରାଜୟକୁ ମାନିବା ସହ ଶାନ୍ତିପୂର୍ଣ୍ଣ ଭାବରେ ଡୋନାଲ୍ଟ ଟ୍ରମ୍ପଙ୍କୁ କ୍ଷମତା ହସ୍ତାନ୍ତର ପ୍ରତିଶ୍ରୁତି ଦେଇଛନ୍ତି।

ହାରିସ୍‌ ଆହୁରି କହିଛନ୍ତି, ମହିଳାଙ୍କ ଅଧିକାର ଓ ବନ୍ଧୁକ ହିଂସା ବିରୋଧରେ ଲଢ଼େଇ ଜାରି ରଖିବେ। ଦେଶବାସୀଙ୍କ ସମ୍ମାନ ପାଇଁ ଲଢ଼ିବାକୁ ସଂକଳ୍ପ ନେଇଛି। ଏଥିସହ ସେ କହିଥିଲେ, ରାଷ୍ଟ୍ରପତି ନିର୍ବାଚିତ ଟ୍ରମ୍ପଙ୍କ ସହ କଥା ହୋଇ ବିଜୟ ପାଇଁ ଅଭିନନ୍ଦନ ଜଣାଇଛି। ସମ୍ବୋଧନ ଶେଷରେ ସମର୍ଥକଙ୍କୁ ନିରାଶ ନହେବାକୁ ପରାମର୍ଶ ଦେବା ସହ ବିଶ୍ବାସ, ସତ୍ୟ ଓ ସେବା ମନୋଭାବ ରଖି ଆଗକୁ ବଢ଼ିବାକୁ ଆହ୍ବାନ ଦେଇଛନ୍ତି କମଳା ହାରିସ୍।

ଗ୍ରୋଭର କ୍ଲିଭଲାଣ୍ଡଙ୍କ ପରେ ଟ୍ରମ୍ପ ହେଉଛନ୍ତି ଦ୍ୱିତୀୟ ରାଷ୍ଟ୍ରପତି ଯିଏ ‘ଅଣ-କ୍ରମାଗତ’ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ, ଯାହା କି ଶେଷ ଥର ପାଇଁ ୧୩୨ ବର୍ଷ ପୂର୍ବେ ହୋଇଥିଲା। ଗ୍ରୋଭର କ୍ଲିଭଲାଣ୍ଡ ଆମେରିକାର ୨୨ତମ ଓ ୨୪ତମ ରାଷ୍ଟ୍ରପତି ଥିଲେ, ସେ ୧୮୮୫ରୁ ୧୮୮୯ ଏବଂ ୧୮୯୩ରୁ ୧୮୯୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ୨୦୧୬ରୁ ୨୦୨୦ ମଧ୍ୟରେ ଥିଲା। ତେବେ ୨୦୨୦ ନିର୍ବାଚନରେ ଜୋ ବାଇଡେନଙ୍କଠାରୁ ହାରିବା ପରେ ସେ ଲଗାତାର ଦ୍ବିତୀୟ ଥର ଜିତିବାରେ ବିଫଳ ହୋଇଥିଲେ। ସୂଚନାଥାଉକି, ୭୮ ବର୍ଷ ବୟସରେ ଟ୍ରମ୍ପ ଆମେରିକା ଇତିହାସର ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ରାଷ୍ଟ୍ରପତି ହେବେ।

Leave A Reply

Your email address will not be published.