ଶୁଣୁନି ପ୍ରଶାସନ, ଭଙ୍ଗାକୁଡ଼ିଆ ପାଲଟିଛି ବାତ୍ୟା କ୍ଷତିଗ୍ରସ୍ତଙ୍କ ସାହାରା
ଓଏଲ୍ ବ୍ୟୁରୋ: ଚାଲିଯାଇଛି ବାତ୍ୟା ଦାନା, ଦେଇ ଯାଇଛି ଅନେକ ଦୁଃଖ। ତା’ର ପ୍ରକୋପରେ ଜର୍ଜରିତ ହେଉଛନ୍ତି ଅନେକ ଜୀବନ। କାହାର ଘର ଭାଙ୍ଗି ଯାଇଛି ତ ଆଉ କାହାର ଛପର ଉଡାଇ ନେଇଛି। ସରକାର ବାତ୍ୟା ଦାନାର କ୍ଷୟକ୍ଷତି ରିପୋର୍ଟ ମଧ୍ୟ ପ୍ରକାଶ କରିସାରିଛନ୍ତି। ହେଲେ ଏସବୁ ଭିତରେ ଦଶରଥପୁର ବ୍ଲକ କୟାଁ ପଂଚାୟତ ଦୁବକଣା ଗ୍ରାମର ୧୧ ନମ୍ବର ୱାର୍ଡ ଓ ଖାନନଗର ଗ୍ରାମପଂଚାୟତର ୱାର୍ଡ ନମ୍ବର ୧୦ ବାତ୍ୟା ପ୍ରଭାବିତଙ୍କ ଏକ କୋହଭରା କାହାଣୀ ସାମ୍ନାକୁ ଆସିଛି।
ବାତ୍ୟା ପ୍ରଭାବରେ ଦଶରଥପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ କୌଣସି ସହାୟତା ମିଳୁନଥିବା ଅଭିଯୋଗ ହୋଇଛି। ୨୦ରୁ ଅଧିକ ପରିବାର ଭଙ୍ଗା କୁଡ଼ିଆରେ ରହୁଛନ୍ତି। ଆବାସ ଯୋଜନାରୁ ବଂଚିତ ହୋଇଥିବା ଏହି ଲୋକମାନେ ଅସ୍ୱାସ୍ଥ୍ୟକର ପରିବେଶରେ ଅତି ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି। ସେହିଭଳି ଖାନନଗର ଗ୍ରାମପଂଚାୟତର ୱାର୍ଡ ନମ୍ବର ୧୦ରେ ରହୁଥିବା ଶାନ୍ତିଲତା ନାୟକ ମଧ୍ୟ ସରକାରଙ୍କ ସାହାଯ୍ୟ ଅପେକ୍ଷାରେ ରହିଛନ୍ତି। ସ୍ୱାମୀଙ୍କୁ ହରାଇଥିବା ବିଧବା ମହିଳା ଶାନ୍ତିଲତା ନାୟକ ଖଣ୍ଡିଏ ଘର ଅପେକ୍ଷାରେ ରହିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ବାତ୍ୟାର ୧୦ ଦିନ ପରେ ମଧ୍ୟ କ୍ଷୟକ୍ଷତିର ତଦନ୍ତ ହୋଇନାହିଁ। ବିଡିଓ, ତହସିଲଦାର କିମ୍ବା ଆର୍ଆଇ ତଦନ୍ତ ପାଇଁ ଆସିନାହାନ୍ତି। ଘର ଗୁହାଳ ଚାଳ ଛପର ଉପରେ ଜରିପାଲ ଖଣ୍ଡେ ଢାଙ୍କିବା ପାଇଁ ମିଳିନାହିଁ। ଆବାସ ତ ଦୂରର କଥା ପଲିଥିନ ଖଣ୍ଡେ ଯୋଗାଇ ଦେବାର ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ପ୍ରଶାସନ ପାଖରେ ଦାବି ପରେ ବାତ୍ୟା କ୍ଷୟକ୍ଷତିର ତୁରନ୍ତ ତଦନ୍ତ ହେବ ବୋଲି ତହସିଲଦାର ଓ ଅତିରିକ୍ତ ତହସିଲଦାର କହିଥିଲେ। ହେଲେ ଏଯାଏଁ କୌଣସି ସୁଫଳ ମିଳିନାହିଁ।