Odisha Link
Bridging the Missing Links in Odisha

ପୁରୀରେ ସେବାୟତଙ୍କୁ ଆକ୍ରମଣ ଘଟଣା: ନିଲମ୍ବିତ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲା ଶ୍ରୀମନ୍ଦିର ପ୍ରଶାସନ। ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରାୟଙ୍କୁ ନିଲମ୍ବିତ କରିବା ପରେ ଆଜି ସମ୍ପୃକ୍ତ ସେବାୟତ ଅମ୍ରିତ୍ରାଂଶୁ ସାମନ୍ତରାୟଙ୍କୁ ନିଲମ୍ବିତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଏହାସହିତ ତାଙ୍କୁ ଶ୍ରୀମନ୍ଦିର ପ୍ରବେଶକୁ ମଧ୍ୟ ବାରଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ସୂଚନା ଅନୁସାରେ, ପୁରୀରେ ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ପୂର୍ବରୁ ଜଣେ ସେବାୟତଙ୍କୁ ନିଲମ୍ବନ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ପରିସର କିମ୍ବା ରୋଷ ଘରେ ଚନ୍ଦନ ସାମନ୍ତରାୟଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳା ବରଦାସ୍ତ କରାଯିବନି।

ଶ୍ରୀମନ୍ଦିର ପଶ୍ଚିମଦ୍ୱାର ପରିକ୍ରମା ମାର୍ଗରେ କିଛି ଦିନ ପୂର୍ବରୁ ବରିଷ୍ଠ ସୁପର୍‌ଭାଇଜର୍‌ ହରଚଣ୍ଡୀ ସାହିର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଜଣେ ରାବିଡ଼ି ଦୋକାନ କର୍ମଚାରୀ ହାଣିଦେଇଥିଲେ। ପ୍ରତିହାରୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ଶ୍ରୀମନ୍ଦିର ଆନନ୍ଦ ବଜାରରେ ବେଆଇନ୍ ଭାବେ ରାବିଡି ବିକ୍ରି ପ୍ରସଙ୍ଗକୁ ନେଇ ବକ୍ସିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଅମ୍ରିତ୍ରାଂଶୁ ସାମନ୍ତରାୟ ସମ୍ପୃକ୍ତ ଥିବା ନେଇ ପୁରୀ ପୁଲିସ୍ ସୂଚନା ଦେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରବେଶକୁ ମଧ୍ୟ ବାରଣ କରାଯାଇଛି।

Leave A Reply

Your email address will not be published.