ହସ୍ତଶିଳ୍ପ ତାଲିକାରେ ଯୋଡ଼ିହେଲା ଆଉ ୪ ହସ୍ତଶିଳ୍ପ
ମୋଟ ୫୫ ହସ୍ତଶିଳ୍ପକୁ ବିଭାଗୀୟ ଅନୁମୋଦନ
ଓଏଲ୍ ବ୍ୟୁରୋ: ଅନୁମୋଦିତ ହୋଇଥିବା ହସ୍ତଶିଳ୍ପ ତାଲିକାରେ ଯୋଡି ହୋଇଛି ଆଉ ୪ ହସ୍ତଶିଳ୍ପ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ମୋଟ ୫୫ ଗୋଟି ହସ୍ତଶିଳ୍ପକୁ ବିଭାଗୀୟ ଅନୁମୋଦନ ମିଳିଛି । ତୁମ୍ବା କାମ, କାଠ ଖୋଦେଇ, ଚିତ୍ରିତ କାଠ କଣ୍ଢେଇ ଏବଂ ଲୌହ ଧାତୁ ନିର୍ମିତ ହସ୍ତଶିଳ୍ପ ଏହି ତାଲିକାରେ ଯୋଡ଼ି ହୋଇଛି। ବିଭାଗୀୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଏହାକୁ ଅନୁମୋଦନ କରିଛନ୍ତି। ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଏହି ୫୫ ଗୋଟି ହସ୍ତଶିଳ୍ପର ଅନୁମୋଦନ ପାଇଁ ସୁପାରିଶ କରିଥିବା ବେଳେ ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତି ଛୋଟରାୟ ଏହାର ପ୍ରସ୍ତାବ ରଖିଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ ୫୧ ଗୋଟି ହସ୍ତଶିଳ୍ପକୁ ଅନୁମୋଦନ ମିଳିଥିଲା। ଏବେ ଏହି ତାଲିକାକୁ ସଂଶୋଧନ କରାଯାଇ ନୂତନ ଭାବେ ୫୫ ଗୋଟି ହସ୍ତଶିଳ୍ପକୁ ରାଜ୍ୟ ସରକାରଙ୍କ ମାନ୍ୟତାପ୍ରାପ୍ତ ହସ୍ତଶିଳ୍ପ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି।
ଚାନ୍ଦୁଆ, କାରୁକାର୍ଯ୍ୟପୂର୍ଣ୍ଣ ଚମଡ଼ା କାମ, କାରୁକାର୍ଯ୍ୟପୂର୍ଣ୍ଣ ସପ, କାରୁକାର୍ଯ୍ୟପୂର୍ଣ୍ଣ କାଠ କାମ, ବାଉଁଶ କାମ, ବାଟିକ୍ ଛାପା କାମ, ଗୁଆ କାମ, କଂସା ଓ ପିତ୍ତଳ କାମ, ବେତ କାମ, ମାଟି କଣ୍ଢେଇ, କପଡ଼ା ଫୁଲ, କପଡ଼ା ତାଳିପକା କାମ, କପଡ଼ା କଣ୍ଢେଇ, ନଡ଼ିଆ ସଢ଼େଇ କାମ, କତା ହସ୍ତଶିଳ୍ପ, ଢୋକ୍ରା କାମ, ସୂଚୀ କାମ, କାଇଁଚ କାମ, ଗୋପା କାମ, ଦରି ଓ ସତରଞ୍ଜି କାମ, ହସ୍ତ ନିର୍ମିତ ଅଳଙ୍କାର, ଶିଙ୍ଗ କାମ, ଜୟଖାଡ଼ି କାମ, ଝୋଟ ନିର୍ମିତ ହସ୍ତଶିଳ୍ପ, କିଆ ପତ୍ରରୁ ପ୍ରସ୍ତୁତ ହସ୍ତଶିଳ୍ପ, ଲାଖ କାମ, ପ୍ରାକୃତିକ ତନ୍ତୁ ନିର୍ମିତ ହସ୍ତଶିଳ୍ପ (ନାଳିଆ ଘାସ, ସିସଲ ଘାସ, ହେଂସୁଆତି), ଧାନରୁ ତିଆରି ହସ୍ତଶିଳ୍ପ, ଡଙ୍ଗରିଆ କନ୍ଧ ଚିତ୍ରକଳା, ଗଣ୍ଡ ଚିତ୍ରକଳା, ଜୁଆଙ୍ଗ ଚିତ୍ରକଳା, କୋହ୍ଲ ଚିତ୍ରକଳା, କୁଟିଆ କନ୍ଧ ଚିତ୍ରକଳା, ଲାଞ୍ଜିଆ ସଉରା ଚିତ୍ରକଳା, ଓରାଓଁ ଚିତ୍ରକଳା, ସାନ୍ତାଳ ଚିତ୍ରକଳା, ସଉରା ଚିତ୍ରକଳା, ତାଳପତ୍ର ତିଆରି ସାଜସଜ୍ଜା ଜିନିଷ, ତାଳପତ୍ର ଖୋଦେଇ, କାଗଜ ମୁଖା, ପଟ୍ଟଚିତ୍ର, ଗଛମୂଳରୁ ତିଆରି ହସ୍ତଶିଳ୍ପ, ସବାଇ ଘାସ କାମ, ଶଙ୍ଖ ଶାମୁକା କାମ, ରୂପା ତାରକସି କାମ, ସୋଲ କାମ, ପଥର ଖୋଦେଇ, ଛଣରୁ ତିଆରି ହସ୍ତଶିଳ୍ପ, ଟେରାକୋଟା ଏବଂ ମାଟିପାତ୍ର କାମ, ଯାତ୍ରା ପୋଷାକ, ଆଦିବାସୀ ଅଳଙ୍କାର, ତୁମ୍ବା କାମ, କାଠ ଖୋଦେଇ, ଚିତ୍ରିତ କାଠ କଣ୍ଢେଇ ଏବଂ ଲୌହ ଧାତୁ ନିର୍ମିତ ହସ୍ତଶିଳ୍ପ ପ୍ରମୁଖ ରହିଛି।