ବିଜେଡି ପରାଜୟକୁ ୪ ମାସ, ବିସ୍ଫୋରକ ମନ୍ତବ୍ୟ ଦେଲେ ବିଜେଡି ନେତା
ଦଳକୁ ମୁଖ୍ୟମନ୍ତ୍ରୀ ଟିକେ ଅଣଦେଖା କଲେ, ସେଥିପାଇଁ ଦଳ ହାରିଲା
ଓଏଲ୍ ବ୍ୟୁରୋ: ବିଜୁ ଜନତା ଦଳକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଏସବୁ ମଧ୍ୟରେ ମୋହନ ସରକାରଙ୍କୁ ପୁରିଲାଣି ୪ ମାସ। ଅନ୍ୟପଟେ ବିରୋଧୀ ଆସନରେ ପ୍ରଥମଥର ପାଇଁ ବସିଥିବା ବିଜେଡି ପରାଜୟର କାରଣ ଖୋଜି ପାଉନାହିଁ। ପରାଜୟ କାରଣର ପୋଷ୍ଟମର୍ଟମ ରିପୋର୍ଟ ଏବେ ବିଜେଡି ପାଉନଥିବା ବେଳେ ପରାଜୟ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା। ଦଳକୁ ମୁଖ୍ୟମନ୍ତ୍ରୀ ଟିକେ ଅଣଦେଖା କଲେ, ସେଥିପାଇଁ ଦଳ ହାରିଲା ବୋଲି ସୁଶାନ୍ତ କହିଛନ୍ତି।
ସୁଶାନ୍ତ ବେହେରା କହିଛନ୍ତି ଯେ, ସଭାପତି ଅଣଦେଖା କରିବାରୁ ଦଳର ପରାଜୟ ହେଲା। ଦଳ ଟିକେ ଭୁଲ୍ ବାଟରେ ପରିଚାଳିତ ହେଉଥିଲା। ଦଳକୁ ମୁଖ୍ୟମନ୍ତ୍ରୀ ଟିକେ ଅଣଦେଖା କଲେ, ସେଥିପାଇଁ ଦଳ ହାରିଲା। ସଭାକୁ ମୁଖ୍ୟମନ୍ତ୍ରୀ ସିଧା ଯିବା ବଦଳରେ ତାଙ୍କ ପ୍ରତିନିଧିଙ୍କୁ ପଠାଇଲେ। ପ୍ରତିନିଧି ଯିବାରୁ ବିଜେଡି କର୍ମୀ, ବ୍ୟକ୍ତିବିଶେଷ ଅସନ୍ତୁଷ୍ଟ ଥିଲେ। ସେହି ଅସନ୍ତୋଷ କାରଣ ପାଇଁ ବିଜୁ ଜନତା ଦଳ ହାରିଲା। ପରିଚାଳନାଗତ ତ୍ରୁଟିରୁ ଦଳ ପରାସ୍ତ ହେଲା ବୋଲି ସୁଶାନ୍ତ ବେହେରା କହିଛନ୍ତି।
ଅମର ଶତପଥୀଙ୍କୁ ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି। ଏଥିପାଇଁ ସେ ଭୁଲ୍ କଥା କହିଥାଇପାରନ୍ତି। କିନ୍ତୁ ସେ ଆମ ସହ ଅଛନ୍ତି। କୌଣସି ଦଳକୁ ଯାଇନାହାଁନ୍ତି। ସେ ବିଜୁ ଜନତା ଦଳ ଜମା ଛାଡ଼ି ନାହାନ୍ତି। ବରିଷ୍ଠ ନେତା ସବୁ ଦଳ ସହ ଅଛନ୍ତି। କିନ୍ତୁ ପରାଜୟ ପରେ କ୍ଷୋଭ ପ୍ରକାଶ କରୁଛନ୍ତି। ସେ କଥା ବେଶି ଦିନ ରହିବନି ବୋଲି ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା କହିଛନ୍ତି।