Odisha Link
Bridging the Missing Links in Odisha

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳିବ ଉନ୍ନତମାନର ମଧ୍ୟାହ୍ନ ଭୋଜନ

ପିଏମ୍-ପୋଷଣ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଓଏଲ୍‌ ବ୍ୟୁରୋ: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ଖାଦ୍ୟ ନିରାପତ୍ତା ଓ ସ୍ବଚ୍ଛତା ସମ୍ପର୍କିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ଅଧିକାରୀମାନଙ୍କୁ ନେଇ ଆୟୋଜନ କରାଯାଇଥିଲା । କୃଷି ଭବନର ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି । ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ, ବିଶ୍ବ ଖାଦ୍ୟ ସଂଗଠନ ଏବଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ପ୍ରାରମ୍ଭରେ ରାଜ୍ୟ ସଂଯୋଜକ ଅଧିକାରୀ ରଘୁରାମ୍ ଆର୍ ଆୟାର ସ୍ବାଗତ ଅଭିଭାଷଣ ପ୍ରଦାନ କରି ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଜିଲ୍ଲା ଅଧିକାରୀମାନଙ୍କ କାର୍ଯ୍ୟକାରିତା ଶୈଳୀ ବୃଦ୍ଧି ଓ ବିଭିନ୍ନ ସଚେତନତା ବିଷୟରେ ଆଲୋକପାତ କରିଥିଲେ । ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ରାଜ୍ୟ ମୁଖ୍ୟ ହିମାଂଶୁ ବଳ ମଧ୍ୟାହ୍ନ ଭୋଜନର ପ୍ରସ୍ତୁତି ସମୟରେ ସ୍ବଚ୍ଛତା, ପ୍ରଣାଳୀ, ଆବର୍ଜନା ପରିଚାଳନ ଏବଂ ପୋଷଣ ଉଦ୍ୟାନ ଉନ୍ନତୀକରଣ ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଦ୍ବାରା ସରକାରଙ୍କ ସମଗ୍ର ରାଜ୍ୟରେ ପୁଷ୍ଟିହୀନତାର ମୁକାବିଲା ଏବଂ ବିଦ୍ୟାଳୟରେ ଉପସ୍ଥାପନା ବୃଦ୍ଧି କରିବା ଦିଗରେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନରେ ପାଚିକା -ତଥା-ସହାୟିକାମାନଙ୍କୁ ବ୍ଲକସ୍ତରରେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଦେବା ନିମନ୍ତେ ସମସ୍ତ ଜିଲ୍ଲାରୁ ମୋଟ୍ ୧୬୦ ଜଣ ଜିଲ୍ଲା ଅଧିକାରୀ ତଥା ବିଇଓ, ଏବିଇଓ, ସି.ଆର୍.ସି.ସି ଏବଂ ପ୍ରଧାନ ଶିକ୍ଷକମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଶିକ୍ଷଣ ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ରୋଷେଇ ପ୍ରଣାଳୀ, ନିରାପଦ ଭୋଜନ ପ୍ରସ୍ତୁତି, ଗୁଣବତ୍ତା, ଉନ୍ନତମାନର ସାମଗ୍ରୀ, ଆବର୍ଜନା ପରିଚାଳନା ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ପୁଷ୍ଟି ଉଦ୍ୟାନ ଉପଯୋଗିତା, ପରିମଳ, ଆହାର ବିବିଧତା, ରକ୍ତହୀନତା ହ୍ରାସ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା।

Leave A Reply

Your email address will not be published.