Odisha Link
Bridging the Missing Links in Odisha

‘କାର୍ତ୍ତିକ ମାସ ପରେ ମେଘନାଦ ପାଚେରିର ପୂର୍ଣ୍ଣାଙ୍ଗ ମରାମତି’

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରର ମେଘନାଦ ପାଚେରିରୁ ପାଣି ଗଳୁଛି। ଏକାଧିକ ସ୍ଥାନରେ ହୋଇଥିବା ଛିଦ୍ର ଦେଇ ପାଣି ତଳକୁ ଖସିବା ଫଳରେ ଶିଉଳି ଲାଗିଯାଇଛି। ସିଂହଦ୍ୱାର ପଟ ମେଘନାଦ ପାଚେରି ନୁହେଁ, ପଶ୍ଚିମ ଓ ଦକ୍ଷିଣ ଦ୍ୱାର କଡ଼ କାନ୍ଥରୁ ବି ଝରୁଛି ପାଣି। ଯାହା ଦେଖି ଭକ୍ତ ଓ ସେବକ କ୍ଷୁବ୍ଧ। ପାଣି ନିଷ୍କାସନ ପାଇଁ ମଗରମୁଣ୍ଡ ଅଛି, ହେଲେ ସେଠୁ ନୁହେଁ ବରଂ ତା ମୁଣ୍ଡ ଉପରୁ ଗଳ ଗଳ ପାଣି ଝରୁଛି। ଯାହାକୁ ନେଇ ଭକ୍ତରୁ ସେବାୟତ, ସମସ୍ତେ ବର୍ଷିଲେଣି। ତେଣେ ଆଇନମନ୍ତ୍ରୀ କହିଛନ୍ତି ପାଚେରିର ସ୍ଥାୟୀ ମରାମତି ପାଇଁ ASI ପ୍ରକ୍ରିୟା ଆରମ୍ଭ କରିଛି।

ଏହାର ସ୍ଥାୟୀ ସମାଧାନ କରାଯିବା ନେଇ ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେଘନାଦ ପାଚେରି ସମେତ ଶ୍ରୀମନ୍ଦିରର ସଂରକ୍ଷଣ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ବୈଠକ ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ ଯାହା ମରାମତି କରାଯିବା କଥା ଯେପରି କି ପାଣି ଝରିବା ବନ୍ଦ କରିବା, ଶିଉଳୀ ଛଡାଇବା, ଗ୍ରାଉଟିଂ ଏବଂ କେମିକାଲ ୱାଶ ଉପରେ ବିଶେଷ ଭାବେ ଆଲୋଚନା କରାଯାଇଛି।

ପାଣି ଝରିବା ବନ୍ଦ କରିବା ଓ ଶିଉଳି ଛଡ଼ାଇବା କାର୍ଯ୍ୟ ଆରମ୍ଭ ହୋଇସାରିଛି। ଶ୍ରୀମନ୍ଦିର ନିର୍ମାଣ ବିଭାଗ ପକ୍ଷରୁ ମନ୍ଦିର ପରିସରରେ ଥିବା ଡ୍ରେନର ପ୍ରାରମ୍ଭିକ ପୂର୍ଣ୍ଣାଙ୍ଗ ମରାମତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବଡ ଆକାରରେ ଡ୍ରେନ କାମ କରିବାକୁ ଟେଣ୍ଡର କରାଯାଇ ସାରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଗ୍ରାଉଟିଂ ଓ କେମିକାଲ ୱାଶିଂ ହୋଇଛି। ପୂର୍ଣ୍ଣାଙ୍ଗ ଓ ଦୀର୍ଘସ୍ଥାୟୀ ମରାମତି ପାଇଁ ଏଏସ୍‌ଆଇ ମଧ୍ୟ ତାଙ୍କ ହେଡ୍‌କ୍ୱାର୍ଟରକୁ ବିସ୍ତୃତ ବିବରଣୀ ଜଣାଇ ସାରିଛନ୍ତି। ତେବେ ସ୍ଥାୟୀ ସମାଧାନ ପାଇଁ ଦୀର୍ଘସ୍ଥାୟୀ ଓ ପୂର୍ଣ୍ଣାଙ୍ଗ ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ଏଏସ୍‌ଆଇ କରିବ। ସେହିପରି ଡ୍ରେନେଜ କାମ ଶ୍ରୀମନ୍ଦିର ନିର୍ମାଣ ବିଭାଗ ତରଫରୁ କରାଯିବ, ଯାହାକି ଆରମ୍ଭ ହୋଇସାରିଛି।

ମେଘନାଦ ପାଚେରିର ଚତୁଃପାଶ୍ୱର୍ରେ ଯେଉଁଠି ବି ଛିଦ୍ର ଅଛି ବା ମରାମତି ଆବଶ୍ୟକ କରୁଛି ତାହାକୁ ପୂର୍ଣ୍ଣାଙ୍ଗ ଭାବେ ଏଏସ୍‌ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ କରିବେ। ତେବେ ପଥର ପରିବର୍ତ୍ତନ, ଗ୍ରାଉଟିଂ କିମ୍ବା ଅନ୍ୟାନ୍ୟ ମରାମତି କାମ ଶ୍ରୀମନ୍ଦିର ନିର୍ମାଣ ବିଭାଗ ନ କରି ଏଏସ୍‌ଆଇ କରିବ। ମୋଟାମୋଟି କହିବାକୁ ଗଲେ ଶ୍ରୀମନ୍ଦିରର ସ୍ଥାୟୀତ୍ୱ ଉପରେ ଗୁରୁତ୍ୱ ଦେଉଛୁ। ଏଏସ୍‌ଆଇର ଟେକ୍ନିକାଲ ଟିମ୍‌ ଯାହା ପରାମର୍ଶ ଦେବେ ତାହାକୁ ଗ୍ରହଣ କରାଯିବ। ଟିମ୍‌ର ପରାମର୍ଶ କ୍ରମେ ସମସ୍ତ ୬ଟି ଯାକ ଡ୍ରେନର ମରାମତି କାମ ହେବ। କାର୍ତ୍ତିକ ମାସ ଶେଷ ପରେ ଏଏସ୍‌ଆଇ ଆନୁଷଙ୍ଗିକ ପାଚେରି ମରାମତି କରିବ ବୋଲି ମୁଖ୍ୟ ପ୍ରଶାସକ ଡ. ପାଢୀ କହିଛନ୍ତି।

Leave A Reply

Your email address will not be published.