ରାଜଧାନୀରେ ଲଭ୍ ଜିହାଦ, ଅଭିଯୁକ୍ତ ଗିରଫ; ଡିସିପି ଖୋଲିଲେ ଗୁମର
ଅଭିଯୁକ୍ତ ଯୁବକର ଘର ବିହାରର ପୂର୍ବ ଚମ୍ପାରନରେ। ସେ ଜମ୍ମୁ କଶ୍ମୀରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲା।
ଓଏଲ୍ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଲଭ୍ ଜିହାଦ। ଏଭଳି ସାଂଘାତିକ ଅଭିଯୋଗ ଆସିବା ପରେ ଆକ୍ସନ ମୁଡରେ କମିଶନରେଟ୍ ପୁଲିସ। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମୀର ମନସୁରଙ୍କୁ ଗତକାଲି ପୁଲିସ୍ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି। କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତଙ୍କ ମେଡିକାଲ ଚେକଅପ୍ କରାଯାଇଛି।
ଲଭ୍ ଜିହାଦ ମାମଲାରେ ଡିସିପି ପିନାକୀ ମିଶ୍ର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, ଅଭିଯୁକ୍ତ ଯୁବକର ଘର ବିହାରର ପୂର୍ବ ଚମ୍ପାରନରେ। ସେ ଜମ୍ମୁ କଶ୍ମୀରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲା। ଅଭିଯୁକ୍ତ ଜଣକ ପରିଚୟ ଲୁଚାଇ ଯୁବତୀଙ୍କ ସହ ସମ୍ପର୍କରେ ଥିଲା। ପ୍ରକୃତରେ ଅଭିଯୁକ୍ତର ନାଁ ମହମ୍ମଦ ସମୀର ମନସୁର। ଯୁବକର ପରିଚୟ ଜଣାପଡ଼ିବା ପରେ ଯୁବତୀ ଜଣଙ୍କୁ ବ୍ଲାକମେଲିଂ କରିଥିଲା। ବିବାହ ପାଇଁ ବାଧ୍ୟ କରିବା ସହିତ ଟଙ୍କା ମାଗୁଥିବା ସୂଚନା ଦେଇଛନ୍ତି ଶ୍ରୀ ମିଶ୍ର।
ସେ ଆହୁରି କହିଛନ୍ତି, ଯୁବତୀ ଜଣଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିଲା ଯୁବକ। ଯୁବତୀଙ୍କୁ ନେବାକୁ ଭୁବନେଶ୍ବର ଆସିଥିଲା ଅଭିଯୁକ୍ତ। ବର୍ତ୍ତମାନ ଯୁବତୀଙ୍କ ବୟାନ ଆଧାରରେ ତଦନ୍ତ ଚାଲିଛି। ସମୀରଠାରୁ ଦୁଇଟି ମୋବାଇଲ ଜବତ କରାଯାଇଛି। ଯୁବତୀଙ୍କ ଅଶ୍ଲୀଳ ଫଟୋ ଉଠାଇବା ଘଟଣାର ତଦନ୍ତ ଚାଲିଛି।
ଅଭିଯୁକ୍ତ ସମୀର ମନସୁର ନିଜ ପରିଚୟ ଗୋପନ ରଖି ପୀଡ଼ିତାଙ୍କ ସହ ସମ୍ପର୍କ ବଢ଼ାଇଥିଲେ। ସମୀର ୨୦୨୪ ମାର୍ଚ୍ଚ ମାସରେ ଓଡ଼ିଶା ଆସିଥିବା ବେଳେ ପୁରୀରେ ଯୁବତୀଙ୍କ ସହ ଏକ ହୋଟେଲ ରୁମ୍ରେ ରହିଥିଲେ। ସେଠାରେ ସମୀରଙ୍କ ପ୍ରକୃତ ନାଁ ସମୀର ମାନସୁର ବୋଲି ପୀଡ଼ିତା ଜାଣିବାକୁ ପାଇଥିଲେ ବୋଲି ଡିସିପି କହିଛନ୍ତି।