ରାଗିଗଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ୨୬ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍
ଆକ୍ସନ ମୁଡରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ମୁଖ୍ୟ ଚିକିତ୍ସା ଅଧିକାରୀ।
ଓଏଲ୍ ବ୍ୟୁରୋ: ୨୬ ଜଣ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍। କୋରାପୁଟର ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨୬ ଜଣ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ମେଡିକାଲ ଅଧିକ୍ଷକ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନା ମୁତାବକ, ନଭେମ୍ବର ୬ ତାରିଖ ଦିନ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ଉପସ୍ଥିତ ରହିବାକୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତରଙ୍କୁ କୁହାଯାଇଥିଲା। ତେବେ ଏହି ୨୬ ଜଣ ଡାକ୍ତର ଉକ୍ତ ବୈଠକରେ ଯୋଗ ଦେଇ ନଥିଲେ। ଏତେ ସଂଖ୍ୟକ ଡାକ୍ତର ବୈଠକରେ ଅନୁପସ୍ଥିତ ରହିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଆଉ ତାପରେ ଆକ୍ସନ ମୁଡରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ମୁଖ୍ୟ ଚିକିତ୍ସା ଅଧିକାରୀ।
ଡାକ୍ତରମାନେ ସେମାନଙ୍କ ଉପର ଅଧିକାରୀଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିଛନ୍ତି ବୋଲି ମେଡିକାଲ ଅଧୀକ୍ଷକ ଜାରି କରିଥିବା ନୋଟିସ୍ରେ ଉଲ୍ଲେଖ କରିଛନ୍ତି ଓ ଏନେଇ ଆସନ୍ତାକାଲି ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତି।